ଭୁବନେଶ୍ବର: ବେଆଇନ ଭାବେ ମୋରମ୍ ଓ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା ମାଫିଆମାନଙ୍କ ଉପରେ ଏବେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ର ନଜର। ଖୋର୍ଧାରେ ଦୀର୍ଘ ଦିନ ଧରି ବେଆଇନ ମୋରମ ଉତ୍ତୋଳନ କରୁଥିବା ଏକ ଗ୍ୟାଙ୍ଗକୁ ଦୁଇ ଦିନ ତଳେ ଏନକାଉଣ୍ଟର୍ କରାଯିବା ପରେ ଆଜି ଟାଙ୍ଗୀ ତହସିଲ ଅଧୀନରେ ଥିବା ୩ଜଣ ମୋରମ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଶ୍ୟାମବନ୍ଧୁ ଡାକୁଆ, ଫତେଗଡ଼ ଥାନା ଅଧୀନ ଲକ୍ଷ୍ମୀପ୍ରସାଦର ମାନସ ରଂଜନ ପ୍ରଧାନ, ଖୋର୍ଧା ଜଙ୍କିଆ ଥାନା ଗୋଡିପଡ଼ାର ମୁକୁନ୍ଦ ଖଣ୍ଡାୟତରାୟ। ସେମାନଙ୍କ ନିକଟରୁ କ୍ରାଇମ ବ୍ରାଞ୍ଚ ଏକ ଷ୍ଟାବଲାଇଜର, ତାର, ଡ୍ରିଲର, ୩ଟି ପ୍ଲାଷ୍ଟିକ୍ ଜାରିକେନ୍, ଗୋଟିଏ ଟ୍ରାକ୍ଟର, ଗୋଟିଏ ମୋରମ ଭର୍ତି ଟ୍ରକ୍ ଜବତ କରିଛି। ସମସ୍ତଙ୍କୁ ଆଜି ଟାଙ୍ଗୀ କୋର୍ଟକୁ ଚାଲାଣ କରାଯାଇଛି।
ଦୁଇ ଦିନ ତଳେ ଖୋର୍ଧାରେ ମୋରମ୍ ଓ ଡ୍ରଗସ୍ ମାଫିଅମାନଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ସଂଜୟ ପ୍ରଧାନ ଓ ଅନୀଲ ବରାଳ ନାମକ ଦୁଇ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। କ୍ରାଇମ ବ୍ରାଞ୍ଚ ସେମାନଙ୍କର ଜଣେ ପ୍ରମୁଖ ସହଯୋଗୀ ଜନ ଖୁଣ୍ଟିଆକୁ ଗିରଫ କରିଥିଲା। ତା’ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରିଛି କ୍ରାଇମ୍ ବ୍ରାଞ୍ଚ। ସେହିପରି ସଂଜୟ ଓ ଅନୀଲକୁ ଗିରଫ କରିବାକୁ କ୍ରାଇମ୍ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଆଜି କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍ ଖୋର୍ଧା ଓ ରାଜଧାନୀର ବିଭିନ୍ନ ହସ୍ପିଟାଲ ଯାଇ ଦୁହିଁଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କ ପତ୍ତା ମିଳୁନାହିଁ।