ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ରାସ୍ତାରେ ଚଲାଇଲା ବେଳେ ମାଡ଼ ଦେଲେ ମହିଳା

ଭୋପାଳ: ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ରବିବାର ଦିନ ଭୋପାଳ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ପରେ ପୁଲିସ ସେମାନଙ୍କୁ ବାନ୍ଧି ସହର ପରିକ୍ରମା କରାଇବା ବେଳେ ସେମାନେ ସର୍ବସାଧାରଣରେ ଲଜ୍ଜିତ ହୋଇଥିଲେ।
ସହରର ଜନାକୀର୍ଣ୍ଣ ରାସ୍ତାରେ ଅଭିଯୁକ୍ତମାନଙ୍କୁ ଚଲାଇ ନେବା ବେଳେ ମହିଳାମାନେ ସେମାନଙ୍କୁ ଚଟକଣା ମାରିବା ସହ ଜୋତାରେ ପିଟିଥିଲେ। ସେମାନଙ୍କୁ ଉଠ୍‌-ବସ୍‌ ମଧ୍ୟ କରାଯାଇଥିଲା।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୀଡ଼ିତାଙ୍କୁ ଭୋପାଳର ମହାରାଣା ପ୍ରତାପ ନଗରରୁ ଅପହରଣ କରିବା ପରେ ଏକ ଘରକୁ ନେଇ ଯାଇଥିଲେ। ସେଠାକୁ ଆଉ ଦୁଇ ଜଣ ପହଞ୍ଚି ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଳ କୁମାର ଲୋଢ଼ା କହନ୍ତି: ସମ୍ପୃକ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛି ଝିଅର ଜଣେ ପୂର୍ବତନ ସାଙ୍ଗ। ସେ ହିଁ ଝିଅଟି ସହ ଯୋଗାଯୋଗ କରିବାକୁ ଉଦ୍ୟମ କରି ତାଙ୍କୁ କହିଥିଲା କି, ଜଣେ ସାଙ୍ଗ ଘରକୁ ଆସ ସେଠାରେ ବିବାଦର ସମାଧାନ କରିଦେବା। ସେ ଘରେ ହିଁ ତାଙ୍କ ସହ ଦୁଷ୍କର୍ମ କରାଯାଇଛି।

ପୀଡ଼ିତାଙ୍କ ଅଭିଯୋଗ ଯେ କଲେଜରେ ତାଙ୍କ ଉପର ଶ୍ରେଣୀରେ ପଢୁଥିବା ୨୧ ବର୍ଷିୟ ଶୈଳେନ୍ଦ୍ର ଦାଙ୍ଗି ତାଙ୍କୁ ଡକାଇଥିଲେ। କିଛି ସମସ୍ୟା ଯୋଗୁଁ ଦୁହେଁ କଜିଆ କରିଥିଲେ। ସେଥିରେ ଶୈଳେନ୍ଦ୍ର ତାଙ୍କର ସେଲ୍‌ଫୋନ୍‌ ଛଡ଼ାଇ ନେଇ ଅପ୍ସରା ସିନେମା ନିକଟରେ ଥିବା ତାଙ୍କ ବନ୍ଧୁ ସୋନୁ ଦାଙ୍ଗିଙ୍କ ବସାକୁ ନେଇ ଯାଇଥିଲେ। ୨୧ ବର୍ଷିୟ ସୋନୁ ଦାଙ୍ଗି, ୨୬ ବର୍ଷିୟ ଧୀରଜ ଦାଙ୍ଗି, ୨୫ ବର୍ଷିୟ ଚିମନ ରାଜପୁତ ପୂର୍ବରୁ ସେ ଘରେ ମହଜୁଦ ଥିଲେ।

ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇ ଶୈଳେନ୍ଦ୍ର ଓ ଧୀରଜ ତାଙ୍କ ସହ ଦୁଷ୍କର୍ମ କଲାବେଳେ ସୋନୁ ଓ ଚିମନ ତାଙ୍କୁ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର