ତେଜରାତି ଦୋକାନରେ ଚୋରି ମାମଲାରେ ୨ ଗିରଫ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ରାସ୍ତାରେ ଥିବା ସାଧୁ ଚରଣ ତୁରୁକ୍‌ଙ୍କ ତେଜରାତି ଦୋକାନରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଏହି ଘଟଣାରେ ଲକ୍ଷ୍ମୀପୁର ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ନୂଆସାହିର ରାଜକୁମାର ସାଗର ଏବଂ ପ୍ରଭୁଦାନ ମିଣିଆକା। ତଦନ୍ତକାରୀ ଇନ୍‌ସପେକ୍ଟର ମନୋରଞ୍ଜନ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସାଧୁ ତୁରୁକଙ୍କ ଦୋକାନରେ ଚୋରି ହେବା ସଂପର୍କରେ ବୁଧବାର ଦିନ ଥାନାରେ ଏତଲା ଦିଆଯାଇଥିଲା। ଦୋକାନରୁ ଏଲ୍‌ଇଡି ଟିଭି ଏବଂ କିଛି ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ପୁଲିସ ଗତକାଲି ଅଭିଯୁକ୍ତଙ୍କ ସଂପର୍କରେ ସୁରାକ ପାଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ନୂଆସାହିରେ ରହୁଥିବା ରାଜ କୁମାର ସାଗରଙ୍କୁ ଥାନାକୁ ଆଣି ପଚରା ଉଚୁରା ପରେ ସେ ଚୋରି ଘଟଣାକୁ ସ୍ୱୀକାର କରି ଏଲ୍‌ଇଡି ଟିଭି ପ୍ରଭୁଦାନ ମିଣିଆକାଙ୍କୁ ୫ଶହ ଟଙ୍କାରେ ବନ୍ଧକ ରଖିଥିବା କହିଥିଲା। ଏହାପରେ ପୁଲିସ୍‌ ପ୍ରଭୁଦାନଙ୍କ ଘରୁ ଟିଭି ଜବତ କରିବା ସହ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି। ସୂଚନାଥାଉକି, ରାଜକୁମାର ସାଗର ପୂର୍ବରୁ ଅନେକ ଚୋରି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା। ତେବେ କୁଲି କରି ନିଜ ପରିବାର ପୋଷଣ କରୁଥିବା ଆଦିବାସୀ ଯୁବକ ପ୍ରଭୁଦାନ ଚୋରି ଟିଭି କିଣି ଫସି ଯାଇଥିବା କହିଛନ୍ତି। ଅପରପକ୍ଷରେ ଏହି ଚୋରି ଘଟଣାରେ ଅନ୍ୟ କେତେଜଣ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଥିବାରୁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର