ନିଶାକୁ ଲାଗିଲା ରୋକ୍‌, ମାଲପଡାବାସୀଙ୍କ ନାଇଟ ଅପରେସନ

ବଲାଙ୍ଗୀର: ବଲାଙ୍ଗୀର ସହରକୁ ଏବେ କବଜା କରିଛି ନିଶା କାରବାର । ବେଆଇନ ନିଶା କାରବାର ଚାରିଆଡେ ଚାଲିଛି । ଲୋକେ କହିଲେ ବି ପୁଲିସ ଲୋକଙ୍କ କଥା ଶୁଣୁନି । ଏଣୁ ନିଶା କାରବାର ରୋକିବାକୁ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି ୧୪ ନଂ ୱାର୍ଡ ଅନ୍ତର୍ଗତ ମାଲପଡାବାସୀ । ପଡାର ଲୋକେ ଗତ କିଛି ଦିନ ହେଲା ନାଇଟ ଅପରେସନ୍ ଚଳାଇଛନ୍ତି । ବେଆଇନ ଭାବରେ ଚାଲିଥିବା ମଦ ଦୋକାନ ତଥା କୁଚିଆକୁ ନିଜ ହାତରୁ ଟଙ୍କା ଖର୍ଚ୍ଚକରି ଜେସିବି ଲଗାଇ ଭାଙ୍ଗୁଛନ୍ତି ।

ମାଲପଡା ଶିବ ମନ୍ଦିର ଛକରେ ଦୀର୍ଘ ଦିନ ଧରି ଚାଲିଥିଲା ବେଆଇନ ନିଶା କାରବାର । କେତେ ଜଣ ଯୁବକ ଏକ ଅଧଗଢା ମନ୍ଦିରକୁ ଜବରଦଖଲ କରି ସେଠାରେ ନିଶାପାନ କରିବା ସହ ନିଶାଦ୍ରବ୍ୟ ବିକ୍ରି କରୁଥିଲେ । ଏହାକୁ ପଡାବାସୀ ତୀବ୍ର ବିରୋଧ କରିବା ସହ ଭାଙ୍ଗି ଦେଇଛନ୍ତି ।  ଏପରିକି ଶନିବାର ରାତିରେ ମାଲପଡା କ୍ରିୟାନୁଷ୍ଠାନ କମିଟି ଆଜି ଏକ ଜରୁରୀ ବୈଠକ କରିବା ସହ ଅନ୍ୟ ଯେଉଁମାନେ ସବୁ ବେଆଇନ ଭାବରେ ମଦବିକ୍ରି କରୁଥିଲେ ସେମାନଙ୍କୁ ସେହି କାର୍ଯ୍ୟରୁ ଓହରିବାକୁ କହିଛନ୍ତି। ପଡାବାସୀ ସମସ୍ତ ବେଆଇନ କାରବାରରେ ଚାଲିଥିବା ନିଶା ବେପାରୀଙ୍କୁ ବୁଝାଇବା ପରେ ସେମାନେ ମଧ୍ୟ ଆଗକୁ ଆଉ ନିଶା କାରବାର କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିବା କମିଟିର କର୍ମକର୍ତ୍ତା କହିଛନ୍ତି । ତଥାପି ଯଦି ଆଗକୁ ସେମାନେ ବେଆଇନ କାମ କରିବେ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପ୍ରଶାସନକୁ ସେମାନଙ୍କ କାରବାର ଉପରେ ସିଧାସଳଖ ଅଭିଯୋଗ କରିବ ବୋଲି କହିଛନ୍ତି । ନିଶା ବନ୍ଦ କରିବାକୁ ମାଲପଡାବାସୀଙ୍କ ଏଭଳି ପଦକ୍ଷେପ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର