ପତ୍ନୀ ଓ ଶାଳୀକୁ ଗୁଳି ମାରି ଏନ୍‌ଏସ୍‌ଜି କମାଣ୍ଡୋଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ଜଣେ କମାଣ୍ଡୋ ନିଜ ପତ୍ନୀ ଏବଂ ଶାଳୀକୁ ଗୁଳି ମାରିବା ପରେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ମାଣେଶ୍ୱର କ୍ୟାମ୍ପ୍‌ର ଫ୍ଲାଟ୍‌ରେ ମଙ୍ଗଳବାର ଦିନ ଏ ଘଟଣା ଘଟିଛି।

କମାଣ୍ଡୋଙ୍କର ନାଁ ଜିତେନ୍ଦ୍ର ଯାଦବ। ତାଙ୍କ ଘର କାନପୁରରେ। ବର୍ଡର୍‌ ସିକ୍ୟୁରିଟି ଫୋର୍ସରେ ସେ ଥିଲେ ଜଣେ ସ୍ଥାୟୀ ଏଏସ୍‌ଆଇ।

ତାଙ୍କୁ ପାଞ୍ଚ ବର୍ଷ ହେବ ଡେପ୍ୟୁଟେସନ୍‌ରେ ଏନ୍‌ଏସ୍‌ଜିକୁ ନିଆଯାଇଥିଲା। ଦୁଇ ବର୍ଷ ହେବ ତାଙ୍କୁ ମାଣେଶ୍ୱର କ୍ୟାମ୍ପ୍‌ରେ ମୁତୟନ କରାଯାଇ ଥିଲା। ଏନ୍‌ଏସ୍‌ଜି କ୍ୟାମ୍ପ୍‌ର ଫ୍ଲାଟ୍‌ ନମ୍ବର ୪୨ରେ ଗୁଳିକାଣ୍ଡ ଘଟିଥିବା ସୂଚନା ସ୍ଥାନୀୟ ପୁଲିସକୁ ଦିଆଯାଇଥିଲା।

ସେଠାରେ ପହଞ୍ଚି ପୁଲିସ ତିନି ଜଣଙ୍କୁ ଚଟାଣରେ ପଡ଼ିଥିବାର ଦେଖିଥିଲା। ତଦନ୍ତରୁ ଜଣା ପଡ଼ିଛି ଯେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାରୁ ଜିତେନ୍ଦ୍ର ନିଜ ପତ୍ନୀ ଗୁଞ୍ଜନ୍‌ ଏବଂ ୧୮ ବର୍ଷୀୟ ଶାଳୀ ଖୁସ୍‌ବୁକୁ ଅଟୋମେଟିକ୍‌ ସର୍ଭିସ୍‌ ଗୁଳି ମାରିବା ପରେ ନିଜ ମୁଣ୍ଡକୁ ଗୁଳିମାରି ଆତ୍ମହତ୍ୟା କରିଥିଲେ।

ଗୁଞ୍ଜନ୍‌ ଏବଂ ଖୁସ୍‌ବୁଙ୍କ ପେଟରେ ଗୁଳି ଚୋଟ ଲାଗିଥିଲା। ସେମାନଙ୍କର ଅସ୍ତ୍ରୋପଚାର କରାଯାଇଛି। ଏବେ ଦୁଇ ଭଉଣୀଙ୍କୁ ଆଇସିୟୁରେ ରଖାଯାଇଛି। ଦୁହେଁ ବିପଦମୁକ୍ତ ଥିଲେ ମଧ୍ୟ ପୁଲିସକୁ ବୟାନ ଦେବାକୁ ସମର୍ଥ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର