ଫୋନ୍‌ରେ ଅଶ୍ଳୀଳ ବ୍ୟବହାର, ଯୁବକ ଗିରଫ

ଭୁବନେଶ୍ବର: ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଏକ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବିଷ୍ଣୁ ବେହେରା(୨୮)। ପୁଲିସ ସୂଚନା ମୁତାବକ, ଗୁରୁବାର ନିଶାସକ୍ତ ଅବସ୍ଥାରେ ବିଷ୍ଣୁ ବିଭିନ୍ନ ଅଜଣା ନମ୍ବରକୁ କଲ୍‌ ଲଗେଇଥିଲା। ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଆଇଏଏସ୍‌, ଆଇପିଏସ୍‌ କାହାରିକୁ ଛାଡ଼ି ନଥିଲା। ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲା। ଯଦି କେହି ଫୋନ୍‌ କାଟି ଦେଉଥିଲା, ପୁଣି ସେହି ନମ୍ବରକୁ କଲ୍‌ କରି ଆହୁରି ଗାଳିମନ୍ଦ କରୁଥିଲା। ଏନେଇ ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ଅଭିଯୋଗ ପରେ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ନମ୍ବର ଟ୍ରାକିଂ କରି ପୁଲିସ ବିଷ୍ଣୁର ଠିକଣା ଠାବ କରିଥିଲା। ନୂଆପଲ୍ଲୀ ଥାନା ପୁଲିସର ଏକ ଟିମ୍‌ ନିମାପଡ଼ାସ୍ଥିତ ବିଷ୍ଣୁ ଘରେ ଚଢ଼ଉ କରି ତାକୁ ଗିରଫ କରି ଭୁବନେଶ୍ବର ଆଣିଥିଲା। ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର