ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁଇ ଗିରଫ

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ଉପର ସାହିରେ ଜଣେ ଯୁବକଙ୍କୁୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋରେ ପୁଲିସ ବଡ଼ଗଡ଼ ପୋଡ଼ା ସାହିର ରାଜକିଶୋର ମହାନ୍ତି ଓରଫ ଟୋନି(୨୩) ଓ ପୁରୀ ଜିଲ୍ଲା ଟାଙ୍ଗୀ ଥାନା ଅଧୀନ କୁହୁଡ଼ି ଦଳବେହେରା ସାହିର ମାନସ କୁମାର ପ୍ରଧାନ ଓରଫ ନନ୍ଦ(୨୨)କୁ ଗିରଫ କରିଛି। ନନ୍ଦ ବଡ଼ଗଡ଼ ପାଟ୍ଟଶାଣୀ କଲୋନିରେ ରୁହେ। ପୁଲିସ ସୂଚନା ଅନୁଯାୟୀ ସାମନ୍ତରାପୁର ଅଞ୍ଚଳର ଦିବ୍ୟ‌େଜ୍ୟାତି ପଣ୍ଡାଙ୍କୁ ଗତ ୩ ତାରିଖ ରାତିରେ ଟୋନି ଓ ନନ୍ଦ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ବାନ୍ଧି ରଖିବା ସହ ମାଡ଼ ମାରିଥିଲେ। ଏଥିରେ ତାଙ୍କ ମୁଣ୍ଡ, ଦେହ ଓ ହାତରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରି ପୁଲିସ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଦିବ୍ୟଜ୍ୟୋତିଙ୍କ ମା’ ଭାଗ୍ୟବତୀ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର