ଲାଞ୍ଚ: ଜେଲ ଗଲେ ସମବାୟ ସମିତି ସମ୍ପାଦକ

ବାଲିଅନ୍ତା: ଜଣେ ଚାଷୀଙ୍କ ଠାରୁ ୨୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲିଅନ୍ତା ବ୍ଲକ ଅଧୀନ କାକରୁଦ୍ରପୁର ସେବା ସମବାୟ ସମିତିର ସଂପାଦକ ହେମନ୍ତ କୁମାର ନାୟକ (୪୦) ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶ୍ରୀ ନାୟକ କାକରୁଦ୍ରପୁର ପଞ୍ଚାୟତ ଅଧୀନ ପଞ୍ଚଳ ଗ୍ରାମର ନିରଞ୍ଜନ ଦାସଙ୍କ ଠାରୁ ୨୫ଶହ ଟଙ୍କା ଲାଞ୍ଚ ନେଉଥିଲେ। ନିରଞ୍ଜନ ଉକ୍ତ ସେବା ସମବାୟ ସମିତିରୁ ୨୦୦୮ ମସିହାରେ ୮ ହଜାର ଟଙ୍କାର କୃଷିଋଣ ନେଇଥିଲେ। ହେଲେ ଋଣ ଟଙ୍କା ପରିଶୋଧ କରିପାରିନଥିଲେ। ଋଣ ପରିଶୋଧ ପାଇଁ ଶ୍ରୀ ନାୟକ ନିରଞ୍ଜନଙ୍କ ଉପରେ ଚାପ ପକାଉଥିଲେ। ୨୫ଶହ ଟଙ୍କା ଦେଲେ ଋଣ ଛାଡ଼ କରିଦେବେ ବୋଲି ମଧ୍ୟ କହିଥିଲେ। ଏନେଇ ନିରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ସମିତି କାର୍ଯ୍ୟଳୟରେ ଆଜି ଶ୍ରୀ ନାୟକ ନିରଞ୍ଜନଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ତାଙ୍କୁ କାବୁ କରିଥିଲା। ତାଙ୍କ ହାତରୁ ‌ରାସାୟନିକ ଦ୍ରବ୍ୟ ବୋଳା ଲାଞ୍ଚ ନୋଟ୍‌ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର