ଲାଡେନ୍‌ ହତ୍ୟା ମାମଲା : ଆତ୍ମସମର୍ପଣ କରିପାରେ ରାକୁ

ଖଣ୍ଡଗିରି : ଘର ଜଗୁଆଳି ଚନ୍ଦନ ନାଏକ ଓରଫ୍‌ ଲାଡେନ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ଜେନା ଓରଫ୍‌ ରାକୁକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। କମିସନରେଟ୍‌ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତାକୁ ପିଛା କରୁଥିଲେ ବି ସେ ଫେରାର୍‌ ରହିବାରେ ସଫଳ ହୋଇଛି। ଏ ଭିତରେ ଦୁଇ ଦିନ ବିତି ସାରିଥିବାରୁ ପୁଲିସ ପାଇଁ ରାକୁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ଖୁବ୍‌ ଶୀଘ୍ର ରାକୁ ପୁଲିସ ନିକଟରେ ଆତ୍ମସମର୍ପଣ କରିପାରେ ବୋଲି ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳୁଛି।

ମଙ୍ଗଳବାର ବିଳମ୍ବିତ ରାତିରେ ରାକୁ ଓ ତା’ର କିଛି ସହଯୋଗୀ ମିଳିତଭାବେ ଲାଡେନ୍‌ ଉପରେ ଆକ୍ରମଣ କରିଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ରାକୁକୁ ମାଡ଼ ମାରି ତା’ପାନ ଦୋକାନରୁ ଟଙ୍କା ଛଡ଼ାଇ ନେଇଥିବାରୁ ପ୍ରତିଶୋଧ ପାଇଁ ରାକୁ ତା’ର ସହଯୋଗୀମାନେ ଏହି ପ୍ରାଣାନ୍ତକ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଲାଡେନ୍‌ ଜଗିଥିବା ଘର ଭିତରେ ତା’କୁ ଆକ୍ରମଣ ହୋଇଥିବାବେଳେ ବି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତିି ଓ ପିଟାପିଟି ହୋଇଥିବା ଜଣାପଡ଼ିଛି। ଫଳରେ ରାକୁର ମୁଣ୍ଡ ଫାଟିଥିଲା। ତେବେ ଚନ୍ଦନକୁ ମାରିଦେବା ଉଦ୍ଦେଶ୍ୟ ନଥିଲେ ବି ରାକୁ ଓ ତା’ର ସହଯୋଗୀମାନେ ବଡ଼ ନିର୍ମମଭାବେ ତାକୁ ପିଟି ପିଟି ଆହତ କରିଥିଲେ। ନିର୍ଘାତ୍‌ ପ୍ରହାର ଯୋଗୁଁ ତା’ର ଡାହାଣ ଗୋଡ଼ ପୂରା ଭାଙ୍ଗିଯାଇଥିଲା ଓ ମୁଣ୍ଡରେ ବି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଫଳରେ ସେ ନିଜେ ହସ୍ପିଟାଲ ଯିବାକୁ ସକ୍ଷମ ହୋଇ ନଥିଲା। ଗହୀର ଭିତରେ ନିଛାଟିଆ ଘର ହୋଇଥିବାରୁ କେହି ବି ଲାଡେନ୍‌କୁ ସାହାଯ୍ୟ କରିବାକୁ ପହଞ୍ଚି ପାରି ନଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ବଞ୍ଚିଥିବା ଅବସ୍ଥାରେ ପୁଲିସ ତାକୁ ଉଦ୍ଧାର କରିଥିଲେ ବି ହସ୍ପିଟାଲରେ ପହଞ୍ଚିବାବେଳକୁ ସେ ମୃତ୍ୟୁ ହୋଇଯାଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ତା’ର ମୃତ୍ୟୁ ଘଟିଥିଲା।

ରାକୁକୁ ଧରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ରାକୁ ରାଜଧାନୀ ବାହାରକୁ ଯାଇପାରି ନଥିବାରୁ ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର