ଫ୍ଲାଟ ଦେବା ନାଁରେ ଦେଢ଼ କୋଟି ଠକେଇ, ଦମ୍ପତି ଗିରଫ

ଭୁବନେଶ୍ବର: ଫ୍ଲାଟ ଦେବା ନାଁରେ ୧.୫ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା‌ ଆଜି ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ, ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍ ଫାଇନାନସିଆଲ ମ୍ୟାନେଜମେଣ୍ଟର ଯୁଗ୍ମ ନିର୍ଦେଶକ ବିଶ୍ବଭୂଷଣ ବିଶ୍ବାଳ ଓ ତାଙ୍କ ପତ୍ନୀ ବିଏନ ଇନଫ୍ରା ସର୍ଭିସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦେଶକ ମାହେଶ୍ବତା ବିଶ୍ବାଳ। ଘର ସହିଦନଗରରେ। କ୍ରାଇମବ୍ରାଞ୍ଚ ସେହି ଘରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବାଉନ୍ସ ଚେକ, ଆଗାମୀ ତାରିଖ ଚେକ୍, ଷ୍ଟାମ୍ପ ଆଦି ଜବତ କରିଛି। ଆଜି ଦୁହିଁଙ୍କୁ କଟକଠାରେ ଥିବା ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଛି। ଦୁହେଁ ଦେବାଶିଷ ଦାଗରା ନାମକ ବ୍ୟକ୍ତିଙ୍କୁ ଫ୍ଲାଟ ଦେବାକୁ କହି ଏଭଳି ଠକେଇ କରିଥିଲେ। ଏନେଇ ଦେବାଶିଷ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।
ମିଳିଥିବା ସୂଚନା ମୁତାବକ, ଦେବାଶିଷ ୫ଟି ଫ୍ଲାଟ ନେବେ ବୋଲି ଦୁହିଁଙ୍କ ସହିତ ରାଜିନାମା କରିଥିଲେ। ଏ ବାବଦରେ ସେ ୧.୮୯ କୋଟି ଟଙ୍କା ଜମା କରିବେ ବୋଲି ରାଜିନାମାରେ ସ୍ଥିର ହୋଇଥିଲା। ରାଜିନାମା ଅନୁଯା‌ୟୀ, ଦେବାଶିଷ ଦୁହିଁଙ୍କ କମ୍ପାନିରେ ଟଙ୍କା ଜମା କରିଥିଲେ। କିନ୍ତୁ ନିର୍ଧାରିତ ସମୟ ଅନୁଯାୟୀ, ଦେବାଶିଷଙ୍କୁ ସେମାନେ ଫ୍ଲାଟ ଯୋଗାଇ ପାରି ନଥିଲେ। ଦେବାଶିଷ ଟଙ୍କା ଫେରସ୍ତ ମାଗିବାରୁ ପତିପତ୍ନୀ ଦୁହେଁ ତାଙ୍କୁ ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ଦେବାଶିଷ ନୂଆପଲ୍ଲୀ ଓ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଥାନାରେ ମଧ୍ୟ ରାଜିନାମା କରି ଖସି ଯାଇଥିଲେ ଦମ୍ପତି। ବାଧ୍ୟ ହୋଇ ଦେବାଶିଷ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର