ବ୍ୟାଙ୍କରୁ ଦେଢ଼ କୋଟି ଠକେଇ, ଭିସାଲ ପଲିମର୍ସ ମୁଖ୍ୟ ଗିରଫ

ଭୁବନେଶ୍ବର: ଜାଲିଆତି କରି ଆହ୍ଲାବାଦ ବ୍ୟାଙ୍କ ପୁରୁଣା ଷ୍ଟେସନ୍‌ ବଜାର ଶାଖାରୁ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ(ଇଓଡବ୍ଲ୍ୟୁ) ଶାଖା ଭିସାଲ୍‌ ପଲିମର୍ସର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ, ଖୋର୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ନାରାୟଣ ସେନାପତି(୪୩)। ଏଠାରେ ଝାରପଡ଼ା ଶ୍ରୀ ଓମ୍‌ ମାନସନ୍‌ରେ ରହନ୍ତି। ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କାରାଯାଇଛି। ସୂଚନା ମୁତାବକ, ୨୦୧୦ ମସିହାରେ ନାରାୟଣ ଭିସାଲ୍‌ ପଲିମର୍ସ ନାମକ ଏକ ପଲିଥିନ୍‌ ବ୍ୟାଗ ତିଆରି ଉଦ୍ୟୋଗ ପାଇଁ ଆହ୍ଲାବାଦ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ତେବେ ବାଣପୁର ମୌଜା ଓ ନନ୍ଦନକାନନସ୍ଥିତ ରଘୁନାଥପୁର ଅଞ୍ଚଳର ଦୁଇଟି ଜମି ବନ୍ଧକ ରଖି ୬୦ ଲକ୍ଷ ଏବଂ ୪୦ ଲକ୍ଷ ଟଙ୍କାର ଦୁଇଟି ଋଣ ନେଇଥିଲେ। ଋଣ ନେବା ପରେ ସେ କୌଣସି କିସ୍ତି ଦେଇନଥିଲେ। ୨୦୧୪ ମସିହା ବେଳକୁ ଋଣ ରାଶି ଏକ କୋଟି ୪୫ଲକ୍ଷ ୭୯ ହଜାରରେ ପହଞ୍ଚି ସାରିଥିଲା। ଋଣ ପରି‌ଶୋଧ ନ କରିବାରୁ ନାରାୟଣ ବନ୍ଧକ ଦେଇଥିବା ଜମିଗୁଡ଼ିକୁ ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣା ପଡ଼ିଥିଲା ଯେ ବାଣପୁର ଜମିଟି ବନ୍ଧକ ଦେବା ପୂର୍ବରୁ ଅନ୍ୟ ଜଣଙ୍କୁ ବିକ୍ରି ହୋଇସାରିଥିଲା। ଆଉ ରଘୁନାଥପୁର ଜମିଟି ସରକାରୀ ଜମି। ନାରାୟଣର ଜାଲିଆତି ଜାଣିବା ପରେ ଶାଖା ମୁଖ୍ୟ ପ୍ରବନ୍ଧକ ବବିତା ସର୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨୭/୧୮‌ ଆଇପିସି ଦଫା ୪୨୦, ୪୦୬, ୪୬୭, ୪୬୮, ୪୭୧ ଏବଂ ୧୨୦(ଖ)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର