ଖଣ୍ଡଗିରି: ଭଲ ଶସ୍ତାରେ ପୁରୁଣା କାର୍ ଯୋଗାଇ ଦେବା ବାହାନାରେ ପ୍ରାୟ ଦେଢ଼ କୋଟି ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଘାଟିକିଆ ନାକାଗେଟ୍ ପାଖ ବରବାରୀରେ ରହୁଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗର ପୂର୍ଣଚନ୍ଦ୍ର ବିଶ୍ୱାଳ ଓରଫ୍ ସାର୍ଥକ(୩୮)। ଜାମିନ୍ ନାମଞ୍ଜୁର ହେବାରୁ ସାର୍ଥକକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ସାର୍ଥକ ପୁରୁଣା କାର୍ ବିକାକିଣା ସହ ବିଲ୍ଡିଂ, ଜମି ଆଦି ବିକାକିଣାର ଏକ ବ୍ରୋକର୍ ଭାବେ ଜଣାଶୁଣା। ତେବେ ଯେଉଁ ପୁରୁଣା କାର୍ ସବୁ ଫାଇନାନ୍ସ କମ୍ପାନି ଟାଣି ନିଅନ୍ତି, ତାହାକୁ ବିକାକିଣା କରାଇବା କାମରେ ସେ ମାହିର୍। ତେଣୁ ୨୦୧୭ ଅକ୍ଟୋବର୍ରେ ରବି ଟକିଜ୍ ଅଞ୍ଚଳରେ ରହୁଥିବା ଏକ ବ୍ୟାଙ୍କ୍ର ମ୍ୟାନେଜର୍ ରାଜ କୁମାର ସାର୍ଥକକୁ ୯ ଲକ୍ଷ ଟଙ୍କା ଦେଇଥିଲେ। ଏକ ଦାମୀ କାର୍ କିଣାଇବ ବୋଲି ସାର୍ଥକ ତାଙ୍କଠାରୁ ଏହି ଟଙ୍କା ନେଇଥିଲା। ମାତ୍ର ପରେ ସେ ଆଉ ଧରାଛୁଅାଁ ଦେଇ ନଥିଲା। ରାଜକୁମାର ଟଙ୍କା ପାଇଁ ଜିଦ୍ କରିବା ପରେ ସାର୍ଥକ ତାଙ୍କୁ ରାଗରେ ସୁଧମୂଳ ହିସାବ କରି ୧୨ ଲକ୍ଷ ଟଙ୍କାର ଚେକ୍ ଧରାଇ ଦେଇଥିଲା। ମାତ୍ର ତା ଆକାଉଣ୍ଟରେ ଗୋଟିଏ ଟଙ୍କା ବି ନଥିଲା। ତେଣୁ ବାଧ୍ୟ ହୋଇ ରାଜକୁମାର ଖଣ୍ଡଗିରି ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଗତକାଲି ପୁଲିସ ବାରବାରୀସ୍ଥିତ ସାର୍ଥକର ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି ସାର୍ଥକର ଗିରଫ ଖବର ପ୍ରଚାରିତ ହେବା ପରେ ପ୍ରାୟ ୨୦ରୁ ଅଧିକ ଲୋକ ଖଣ୍ଡଗିରି ଥାନାକୁ ଅଭିଯୋଗ ନେଇ ଆସିଥିଲେ। କାହାଠାରୁ ୫ ଲକ୍ଷ ତ କାହାଠାରୁ ୭ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗର ଧାଡ଼ି ଲାଗି ଯାଇଥିଲା। ପୁଣି ବଡ଼ କଥା ହେଲା ଅଭିଯୋଗକାରୀଙ୍କ ମଧ୍ୟରେ ଡାକ୍ତର, ବ୍ୟାଙ୍କ ମ୍ୟାନେଜର୍, ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି। ଏମିତିରେ ସେ ବଡ଼ବଡ଼ିଆ ଦେଖି ସେମାନଙ୍କୁ ଚୁନ ଲଗାଇଥିବା ଜଣାପଡ଼ିଥିଲା। ପ୍ରାୟ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଆକଳନ କରାଯାଇଛି।
ଦେଢ଼କୋଟି ଚଳୁ ଅଭିଯୋଗରେ ଯୁବକ ଗିରଫ
/sambad/media/post_attachments/wp-content/uploads/2018/07/30-arrested_l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)