ଭୁବନେଶ୍ୱର: ଜଣେ ବରିଷ୍ଠ ନାଗରିକଙ୍କଠାରୁ ଦେଢ଼ ଲକ୍ଷ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଛିନ୍‌ତାଇର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସହିଦ ନଗରର ଇଂ ଦୀପକ ସ୍ବାଇଁ। ଆଜି ଅପରାହ୍ନରେ ରୁପାଲି ଛକରେ ଥିବା‌ ଇପିକଲ୍‌ ହାଉସ୍‌ ନିକଟରେ ଏହି ଅଘଟଣ ଘଟିଛି। ଏ ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ପତ୍ତା ପାଇ ନାହିଁ। ସୂଚନା ମୁତାବକ, ଦୀପକ ଆକ୍ସିସ ବ୍ୟାଙ୍କ୍‌ ଶାଖାରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖି ଇପିକଲ୍‌ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସାମ୍ନାରେ ଗାଡ଼ି ରଖିବା ସହ ଡିକିରୁ ଟଙ୍କା ବାହାର କରି ଅଫିସ୍‌ ଭିତରକୁ ଯିବା ପାଇଁ ଉଦ୍ୟତ ହେବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଠାରୁ ଏହି ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ।