ଭୁବନେଶ୍ୱର: ଅନ୍ଲାଇନ୍ ପ୍ରୋଜେକ୍ଟ ନାଁରେ ଏକ ଲକ୍ଷ ୭୫ ହଜାର ଟଙ୍କା ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ରାଜସ୍ଥାନ କୋଟା ଅଞ୍ଚଳର ମେହମିନାତାଲ୍ ହୋକିପ (୨୫)।
ପୁଲିସ ସୂଚନା ମୁତାବକ, ହୋକିପ ଅନ୍ଲାଇନ୍ ମାଧ୍ୟମରେ ଏକ ଇନ୍ଭେଷ୍ଟମେଣ୍ଟ ସଂସ୍ଥା ଆରମ୍ଭ କରିଥିଲା। ଲୋକମାନଙ୍କୁ ୬ ମାସରେ ଇନ୍ଭେଷ୍ଟମେଣ୍ଟର ଦୁଇ ଗୁଣ ଫେରସ୍ତ କରିବା ଲୋଭ ଦେଖାଇ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଲୁଟିଥିଲା। ତେବେ ଏହାର ଶିକାର ହୋଇଥିଲେ ଲକ୍ଷ୍ମୀସାଗର ଅଞ୍ଚଳର ସୁଜାତା ଗିରି ନାମକ ଜଣେ ମହିଳା। ୮ମାସ ତଳେ ହୋକିପ୍ ସୁଜାତାଙ୍କୁ ଫୋନ୍କରି ଇନ୍ଭେଷ୍ଟମେଣ୍ଟ ପଲିସି ବିଷୟରେ ବୁଝାଇଥିଲା। ଏହାପରେ ସୁଜାତା ଅଧିକ ଟଙ୍କା ପାଇବା ଲୋଭରେ ହୋକିପ୍ଙ୍କ ଆକାଉଣ୍ଟରେ ଏକ ଲକ୍ଷ ୭୫ ହଜାର ଟଙ୍କା ଜମା କରିଥିଲେ। ସୁଜାତା ଟଙ୍କା ଜମା କରିବା ପରେ ହୋକିପ୍ ଆଉ ସୁଜାତାଙ୍କ ସହ ଯୋଗାଯୋଗ ରଖିନଥିଲା କି ଟଙ୍କା ଫେରାଇ ନଥଲା। ଏନେଇ ସୁଜାତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେଣୁ ପୁଲିିସ ହୋକିପ୍ର ନମ୍ବରକୁ ଟ୍ରାକିଂରେ ରଖିଥିଲା। ଗତକାଲି ହୋକିପ ଆଉ ଜଣେ ଲୋକଙ୍କଠାରୁ ଟଙ୍କା ନେବା ପାଇଁ ଭୁବନେଶ୍ୱର ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ତାର ଠିକଣା ଠାବ କରି ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।