ଭୁବନେଶ୍ବର: କୋରାପୁଟରୁ ବାଲେଶ୍ବରକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ରୢାକେଟ୍‌ର ୪ ଜଣଙ୍କୁ କଟକ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି। ଶନିବାର ଅପରାହ୍‌ଣରେ ନିର୍ଗୁଣ୍ଡି ଟୋଲ୍‌ ଗେଟ୍‌ ନିକଟରୁ ଅବକା‌ରୀ ଟିମ୍‌ ଧରିଥିବା ଏହି ଅଭିଯୁକ୍ତମାନେ ହେଲେ ‌କୋରାପୁଟର କେ. ଲକ୍ଷ୍ମଣ ରାଓ(୪୨), ତ୍ରିନାଥ ହନ୍ତାଳ(୨୭), ବାଲେଶ୍ବରର ସେକ୍ ସାହାଣୀ(୩୨) ଓ ସେକ୍ ମହମ୍ମଦ ମହସିନ୍‌(୪୨)। ଏମାନଙ୍କଠାରୁ ଏକ ବଲେରୋ (ଓଡି୦୨ଏଏସ୍‌-୪୧୬୯) ଓ ସେଥିରୁ ୧୩୧ କିଲୋ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ସାଢ଼େ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

Advertisment

କଟକ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ସୂଚନାନୁସାରେ ଏହି ରୢାକେଟ୍‌ ଉପରେ ଦୀର୍ଘ ଦିନ ଧରି ନଜର ରଖାଯାଇଥିଲା। ନିୟମିତ ବ୍ୟବଧାନରେ ଏମାନେ କୋରାପୁଟରୁ ବାଲେଶ୍ବରକୁ ମାଲ୍ ଚାଲାଣ କରନ୍ତି। ଗତକାଲି ରାତିରୁ କଟକରେ ଅଟକି ଥିବା ଏହି ଚାରି ଜଣ ଆଜି ବାଲେଶ୍ବର ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଥିଲା। ତେଣୁ ନିର୍ଗୁଣ୍ଡି ଟୋଲ୍‌ ଗେଟ୍‌ ପାଖରେ ଆଇଆଇସି ଶ୍ରୀ ସାମଲ, ଇନ୍‌‌ସ୍ପେକ୍ଟର ଗାଲୁରାମ ସୋରେନ୍‌ ଓ ତାଙ୍କ ଟିମ୍‌ ଜଗି ରହି ସେମାନଙ୍କୁ କାବୁ କରିଥିଲେ। ଏହି ରୢାକେଟ୍‌ର ଚେର କୋରାପୁଟରୁ ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଛି ବୋଲି ତଦନ୍ତରୁ ଜଣାପଡ଼ିଛି।