ଗୁଳି ଫୁଟାଇ ବ୍ୟ‌ାଙ୍କ୍‌ ଗାଡ଼ିରୁ ଲୁଟିନେଲେ ୧୧ ଲକ୍ଷ ଟଙ୍କା, ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ

କୁଆରମୁଣ୍ଡା: ଆଜି ପୂର୍ବାହ୍ନ ସାଢେ ୭ଟା ବେଳେ କୁଆରମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଇସିଆଇସିଆଇ ବ୍ୟାଙ୍କ୍‌ ଗାଡ଼ି ଉପରେ ଆକ୍ରମଣ କରି ଦୁର୍ବୃତ୍ତମାନେ ୧୧ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି। କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ୫ଟି ଗ୍ରାମପଞ୍ଚାୟତର ହିତାଧିକାରୀଙ୍କ ପାଇଁ ଯାଉଥିବା ଏହି ଭତ୍ତା ଟଙ୍କା ଲୁଟ୍‌ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଲୁଟେରାମାନେ ଦୁଇ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଆହତ କରି ଟଙ୍କା ବାକ୍ସ ଛଡ଼ାଇ ନେଇଥିଲେ। ଖବରପାଇ କୁଆରମୁଣ୍ଡା ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ରାସ୍ତା ସିଲ୍‌ କରି ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି।

କୁଆରମୁଣ୍ଡା ବ୍ଳକ୍‌ ଅନ୍ତର୍ଗତ କୁଆରମୁଣ୍ଡା, କାଲୋସିହିରିଆ, କଚାରୁ, ପୁଟୁରୀଖମଣ ଓ ଝାଡ଼ବେଡ଼ା ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଏକ ବଲେରୋ ଗାଡ଼ିରେ ଟଙ୍କା ଆସୁଥିଲା। ଚାଳକଙ୍କ ସମେତ ୩ ଜଣ ଟଙ୍କା ଧରି ପ୍ରଥମେ ସକାଳ ପ୍ରାୟ ସାଢେ ୭ଟା ବେଳେ କୁଆରମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ବଲେରୋ ଗାଡ଼ିଟି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପହଞ୍ଚିବା କ୍ଷଣି ଜଣେ ଲୁଟେରା ହଠାତ୍‌ ଗାଡ଼ି ଉପରକୁ ଗୁଳି ଚାଳନା କରିଥିଲେ। ତେବେ ଗୁଳିଟି କାହାରି ଶରୀରରେ ନ ବାଜି ସ୍ଥାନୀୟ ଏକ ପାଚେରିରେ ଲାଗିଥିଲା। ଲୁଟେରାଙ୍କ ଗୁଳି ମାଡ଼ ଦେଖି ବ୍ୟାଙ୍କ ସୁରକ୍ଷା କର୍ମୀ ଶ୍ରୀକାନ୍ତ ପଲାଇ ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁଇ ଜଣ ଦୁର୍ବୃତ୍ତ ଗାଡ଼ି ପାଖକୁ ଯାଇ ତାଙ୍କ ବନ୍ଧୁକ ମୁନକୁ ତଳମୁହାଁ କରି ଦେବାରୁ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ୫ ଦୁର୍ବୃତ୍ତ ବନ୍ଧୁକ ମୁନକୁ ଭାଙ୍ଗି ଦେଇ ସୁରକ୍ଷା କର୍ମୀ ଶ୍ରୀ ପଲାଇ, ବ୍ୟାଙ୍କ୍‌ କିରାଣୀ ସୁବ୍ରତ ପାଣିଗ୍ରାହୀ ଓ ଚାଳକ ନିରଂଜନ ବାରିକଙ୍କୁ ମାଡ଼ ଥିଲେ। ସେମାନଙ୍କୁ ଆହତ କରି ଗାଡ଼ି ଭିତରେ ଥିବା ଟଙ୍କା ଭର୍ତ୍ତି ବାକ୍ସ ଧରି ଦୁଇଟି କଳା ରଙ୍ଗର ପଲ୍‌ସର ଗାଡ଼ିରେ ସେମାନେ କୁଆରମୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖ ଦେଇ ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର