ଜମି ଦେବା ନାଁରେ ୧୨କୋଟି ଟଙ୍କା ଠକେଇ

ଜେଡ୍‌ ଇନ୍‌ଫ୍ରା ନିର୍ଦେଶକ ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ୧୨କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜେଡ୍‌ ଇନ୍‌ଫ୍ରା କନ୍‌ଷ୍ଟ୍ରକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ପ୍ରସନ୍ନ କୁମାର ପାତ୍ର(୬୨)ଙ୍କୁ ଗିରଫ କରିଛି। ଠକେଇ ଶିକାର ହୋଇଥିବା ମନୋରଞ୍ଜନ ମିଶ୍ର ୩୦ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥଲେ। ଅଭିଯୋଗ ଅନୁଯାୟୀ, ପ୍ରାୟ ୮ ବର୍ଷ ତଳେ ପ୍ରସନ୍ନ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଏକ ବିଲ୍‌ଡର୍‌ ସଂସ୍ଥା ଆରମ୍ଭ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ଭୁବନେଶ୍ୱର ଆଇଆଇଟି ନିକଟସ୍ଥ କାଂସପଡ଼ା ଅଞ୍ଚଳରେ ଜମି ଦେବାକୁ କହିଥିଲେ। କମ୍‌ ଦାମ୍‌ର ଲୋଭ ଦେଖାଇ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ୧୨ କୋଟି ଟଙ୍କା ନେଇଥିଲେ। ହେଲେ ଲୋକମାନଙ୍କୁ ଯେଉଁ ଜମି ଦେଇଥିଲେ ତାହା ବିବାଦୀୟ ହୋଇଥିବା ବେଳେ କେତେକ ଜମି ରେଜିଷ୍ଟ୍ରେସନ୍‌ ହୋଇ ନଥିଲା। କାଗଜପତ୍ରରେ ଯେଉଁ ଜମି ଦେଖାଇଥିଲେ ପ୍ରକୃତରେ ସେପରି କୌଣସି ଜମି ନଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ସେହିପରି ଯେଉଁ ସବୁ ସୁବିଧା ସୁଯୋଗ ଦେବାକଥା ନେଇ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ମଧ୍ୟ ଖିଲାପ କରିଥିବା ଅଭିଯୋଗ ହୋଇଥିଲା। ଶ୍ରୀ ମିଶ୍ର ଇଓଡବ୍ଲ୍ୟୁରେ ଅଭିଯୋଗ କରାଯିବା ପରେ ତାଙ୍କୁ ଗିରଫ କରାଯାଇ କଟକସ୍ଥିତ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର