ଇସ୍ଲାମାବାଦ : ଶ୍ରୀଲଙ୍କାର ଜଣେ କାରଖାନା ପରିଚାଳକଙ୍କୁ ପାକିସ୍ତାନରେ ପିଟି ପିଟି ହତ୍ୟା କରିବା ପରେ ମୃତ ଦେହକୁ ପୋଡ଼ି ଦେବା ଘଟଣାରେ ୧୨୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି। ଇମ୍ରାନ ଏହାକୁ ପାକିସ୍ତାନ ପାଇଁ ଲଜ୍ଜାଜନକ ଦିନ ବୋଲି କହିବା ସହ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଏହି ହତ୍ୟାକାଣ୍ଡ ସମ୍ପର୍କରେ କଥା ହୋଇଛନ୍ତି। ପାକିସ୍ତାନକୁ ନିନ୍ଦା ହେଲା ଭଳି ଏଭଳି କିଛି ପ୍ରସଙ୍ଗ ସୃଷ୍ଟି କରାଯାଉଛି ବୋଲି ଦର୍ଶାଇ ଖାନ ଟ୍ୱିଟରରେ ଲେଖିଛନ୍ତି, ସିଆଲକୋଟରେ ପ୍ରିୟନ୍ଥା ଡିଆୱାଡାନାଙ୍କ ନିର୍ମମ ହତ୍ୟା ଆମ ପାଇଁ କେତେ ଲଜ୍ଜାକର ତାହା ଶ୍ରୀଲଙ୍କାର ଲୋକଙ୍କୁ ଜଣାଇବା ପାଇଁ ଆଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ କଥା ହୋଇଛି । ଏହି ଘଟଣାରେ ୧୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ମାମଲାର ଗମ୍ଭୀରତାକୁ ଦେଖି ଉଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇମ୍ରାନ କହିଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀ ଇସଲାମାବାଦ ଠାରୁ୨୦୦ କିଲୋମିଟର ଦୂରରେ ଥିବା ପଞ୍ଜାବର ସିଆଲକୋଟରେ ଏହି ଘଟଣା ଶୁକ୍ରବାର ଦିନ ଘଟିଥିଲା। ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି, ଗୁଜବ ପ୍ରଚାରିତ ହୋଇଥିଲା ଯେ ଡିଆୱାଡାନା ଏକ ଧାର୍ମିକ ପୋଷ୍ଟରକୁ ଚିରି ଡଷ୍ଟବିନରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨୦ ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରତିନିଧି ତାହିର ଆଶ୍ରାଫି ଗଣମାଧ୍ୟମକୁ କହିଛନ୍ତି ଯେ ମ୍ୟାନେଜର ଅତ୍ୟନ୍ତ କଠୋର ଥିଲେ ବୋଲି କର୍ମଚାରୀମାନେ ଅଭିଯୋଗ କରିଆସୁଥିଲେ। ପୁଲିସ ବିଭାଗ ଏହି ମାମଲାକୁ ବିଭିନ୍ନ ଦିଗରୁ ଅନୁସନ୍ଧାନ କରୁଛି । ଯେଉଁଥିରେ କିଛି କାରଖାନା କର୍ମଚାରୀ ମ୍ୟାନେଜରଙ୍କଠାରୁ ପ୍ରତିଶୋଧ ନେବାକୁ ଧାର୍ମିକ କାର୍ଡ ଖେଳିଛନ୍ତି ବୋଲି କୁହାଯାଇଛି। ଏହି ମାମଲାକୁ ନେଇ ଶ୍ରୀଲଙ୍କା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।