ପାର୍ବଣ ଋତୁରେ ପୁଲିସ୍‌ର କ‌େଠାର ଆଭିମୁଖ୍ୟ, ୧୩ ଚାନ୍ଦା ଆଦାୟକାରୀ ଗିରଫ

କଟକ: ପାର୍ବଣରେ ବେଆଇନ ଚାନ୍ଦା ଆଦାୟକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପୁଲିସ। ମାତ୍ର ଦୁଇ ଦିନ ମଧ୍ୟରେ ମୋଟ ୧୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗଣେଶ ପୂଜାରୁ ବାଲିଯାତ୍ରା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପାର୍ବଣରେ ଚାନ୍ଦା ଆଦାୟ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ସମସ୍ତ ଏସ୍‌ପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଲା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ କମିସନରେଟ୍‌ ପୁଲିସ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ଟି ଜିଲ୍ଲାରେ ମୋଟ ୫ଟି ଚାନ୍ଦା ଆଦାୟ ସ˚କ୍ରାନ୍ତ ମାମଲା ରୁଜୁ ହୋଇଛି। ଭୁବନେଶ୍ବର ଖଣ୍ତଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଜଣେ ଦୁର୍ବୃତ୍ତ ଗିରଫ ହୋଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ଚାନ୍ଦିଲି ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ମୋଟ ୭ ଜଣ ବେଆଇନ ଚାନ୍ଦା ଆଦାୟ କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପାର୍ବଣ ଋତୁ ଗଣେଶ ପୂଜା ଠାରୁ ଆରମ୍ଭ ହୋଇ କାର୍ତ୍ତିକେଶ୍ବର ପୂଜା ଓ ବାଲିଯାତ୍ରା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ ଚାନ୍ଦା ଆଦାୟକାରୀଙ୍କୁ ଦମନ କରିବା ପାଇଁ ଡିିଜିପି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର