ଜମି ବିକ୍ରି ନାଁରେ ୧୩ ଲକ୍ଷ ଟଙ୍କା ଚଳୁ, ୨ ଭାଇ ଗିରଫ

ଖଣ୍ଡଗିରି: ଜମି ବିକିବା ବାହାନାରେ ଜଣେ ଜମିକ୍ରେତାଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ରବିବାର ତମାଣ୍ଡୋ ଥାନା ପୁଲିସ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଭାଇ ହେଲେ, ଏହି ଥାନା ଅନ୍ତର୍ଗତ ନାରଗୋଦା ଗାଁର କଣ୍ଡୁରି ଚରଣବାରିକ(୫୫) ଓ ବୁଦ୍ଧେନ୍ଦ୍ର ବାରିକ(୪୭)। ଜାମିନ୍ ନାମଞ୍ଜୁର ହେବାରୁ ୨ ଅଭିଯୁକ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାନୁସାରେ ନାରଗୋଦା ମୌଜାସ୍ଥିତ ଏକ ଜମିକୁ ବିକିବା ପାଇଁ ୨୦୧୬ ମସିହାରେ ଅଭିଯୁକ୍ତ ଦୁଇ ଭାଇ ଆଇଗିଣିଆର ବେଣୁଧର ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିଲେ। ଅଗ୍ରିମ ବାବଦରେ ଦୁଇ ଭାଇ ବେଣୁଧରଙ୍କଠାରୁ ୧୩ ଲକ୍ଷ ଟଙ୍କା ଗଣି ନେଇଥିଲେ। ଅବଶିଷ୍ଟ ଟଙ୍କା ରେଜିଷ୍ଟ୍ରେସନ୍ ପରେ ନେଣଦେଣ ହେବାର ଥିଲା। କିନ୍ତୁ ୧୩ ଲକ୍ଷ ଟଙ୍କା ପାଇଯିବା ପରେ ଦୁଇ ଭାଇ ଆଉ ଧରାଛୁଆଁ ଦେଲେନାହିଁ। ବରଂ ଜମିର ଅନ୍ୟ କିଛି ଅଂଶୀଦାର ବିକିବା ପାଇଁ ମନା କରୁଥିବାର ବାହାନା କରି ଦିନ ଗଡ଼ାଇ ଚାଲିଲେ। ଏ ଭିତରେ ଦୁଇ ବର୍ଷ ବିତି ଯିବାରୁ ଜମି ଦର ବଢ଼ି ଯାଇଥିଲା। ତଥାପି ବେଣୁଧର ବର୍ଧିତ ଦର ଦେଇ ଜମି କିଣିବାକୁ ରାଜି ହୋଇଥିଲେ। ମାତ୍ର ସେଥିରେ  ବି ଦୁଇଭାଇ ରାଜି ହେଲେନାହିଁ। ଶେଷରେ ବେଣୁଧର ବୁଝିଗଲେ ଯେ ଦୁଇ ଭାଇ ଟଙ୍କା ଫାଙ୍କି ଦେବା ଚକ୍କରରେ ଅଛନ୍ତି। ସତକୁ ସତ ସେୟା ହେଲା। ଦୁଇ ଭାଇ ଜମି ଦେବେ ନାହିଁ ବୋଲି ରୋକ୍‌ଠୋକ୍‌ ନାସ୍ତିବାଣୀ ଶୁଣାଇଦେଲେ ଓ ସୁବିଧା ହେଲେ ଟଙ୍କା ଫେରସ୍ତ ଦେବେ ବୋଲି କହିଲେ। ଏମିତିକି ତାଙ୍କ ଦୁଆରକୁ ବାରମ୍ବାର ନ ଆସିବାକୁ ସେମାନେ ବେଣୁଧରଙ୍କୁ ତାଗିଦ୍‌ କଲେ। ତେଣୁ କାନମୁଣ୍ଡା ଆଉଁସି ନ୍ୟାୟ ପାଇଁ ବେଣୁଧର ବାଧ୍ୟ ହୋଇ ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଠକେଇ ମାମଲା ରୁଜୁ କରି ଦୁଇ ଭାଇଙ୍କୁ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର