୨ ଜଣଙ୍କଠାରୁ ୧୫ ଗ୍ରାମ୍ ବ୍ରାଉନ୍‌ ସୁଗାର ଜବତ

ଖଣ୍ଡଗିରି: ବ୍ରାଉନ ସୁଗାର କାରବାର ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ମଙ୍ଗଳବାର ୨ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଇଗିଣିଆ ଆଳୁଗଦି ଅଞ୍ଚଳରେ ରହୁଥିବା ନୟାଗଡ଼ ମାଛିପଡ଼ାର ରବି ସାହୁ ଓରଫ ସିଦ୍ଧାର୍ଥ(୨୦) ଓ ଖୋର୍ଧା ବିଡିଏ କଲୋନିର ମୋହିତ ଘୋଷ ଓରଫ ବାବୁ(୨୩)। ପୁଲିସ ସେମାନଙ୍କଠାରୁ ୧୫ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଅଭିଯୁକ୍ତଦ୍ବୟ ଖୋର୍ଧାରୁ ଏହି ଧଳଜହର ଆଣି ଆଇଗିଣିଆ ନିକଟରେ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ସେମାନଙ୍କୁ ଧରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୯ ତାରିଖରେ ମଧ୍ୟ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ଅଞ୍ଚଳରୁ ଶିରିପୁର କନ୍ଧସାହିର ଶତୁରା ନାୟକ ଓ ଖୋର୍ଧା ବୁଢ଼ୀବଗିଚା ଅଞ୍ଚଳର ପ୍ରଶାନ୍ତ ସାହୁକୁ ଗିରଫ କରି ୨୨ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲେ। କୁଚିଆ ବେପାରୀ ପ୍ରଶାନ୍ତ ଓ ମୋହିତ ଖୋର୍ଧାରୁ ମାଲ୍ ଆଣି ଭୁବନେଶ୍ବରରେ କାରବାର କରୁଥିବାରୁ ଏବେ ବି ଖୋର୍ଧାରେ ବ୍ରାଉନ୍‌ସୁଗାର ଡିଲର୍‌ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର