ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ୧୫ ଲକ୍ଷ ଟଙ୍କା ଠକିନେଲା ଦଲାଲ୍; ବାନ୍ଧିଲା ପୁଲିସ

ଭୁବନେଶ୍ବର: ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ ଅଏସ କରୁଥିବା ବାବୁ ଜଣଙ୍କୁ ଘୋଷାରି ଘୋଷାରି ପିସିଆର ଭ୍ୟାନକୁ ନେଉଛି ପୁଲିସ । କାହିଁକି ନା ବାବୁ ଜଣଙ୍କ ହେଉଛନ୍ତି ଜଣେ ୪୨୦ ।

ବ୍ରହ୍ମପୁର ଏମକେସିଜିରେ ଏମବିବିଏସରେ ଆଡମିସନ କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ଯେ ସୁନୀଲ ସାମନ୍ତରାୟ ନାମକ ଏହି ବ୍ୟକ୍ତି ଅଭିଯୋଗକାରୀଙ୍କୁ ଠକେଇ କରିଛି ।

ସୁନୀଲ ସାମନ୍ତରାୟ ନାଁରେ ପୂର୍ବରୁ ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ସମାନ ଠକେଇ ଅଭିଯୋଗ ରହିଛି । ଏଭଳି ମାମଲାରେ ପୂର୍ବରୁ ବାବୁ ଗିରଫ ମଧ୍ୟ ହୋଇଛନ୍ତି । ହେଲେ ଲୋକଙ୍କୁ ବୋକା ବନାଇ, ତାଙ୍କ ପଇସାରେ ଅଏସ କରିବାର ନିଶା ଏଯାଏଁ କମିନି । ଜାଲ ମେଡିକାଲ ପ୍ରୋଭିଜନାଲ୍ ଲେଟର ଜରିଆରେ ଠକେଇ କରିଥିବା ସୁନିଲକୁ ରିମାଣ୍ଡରେ ନେଇ ତାର ପୂରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବ ନୟାପଲ୍ଲୀ ପୁଲିସ । ଏପରିକି ଜବତ ହୋଇଥିବା ଡକ୍ୟୁମେଣ୍ଟର ଫରେନ୍ସିକ୍ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ।

ଅଳ୍ପରେ ଟଙ୍କା କମାଇ, ରାତାରାତି କୋଟିପତି ହେବାର ନିଶା, ଆଉ ତା ସାଙ୍ଗରେ ବିଳାସପୂର୍ଣ୍ଣ ଜୀବନ ଯାପନ କରିବାର ଲାଳସା, ସୁନୀଲକୁ ଜେଲର ଅନ୍ଧାର କୋଠରୀ ଭିତରକୁ ଠେଲି ଦେଇଛି ।

ସମ୍ବନ୍ଧିତ ଖବର