ପ୍ରେମ ସଂପର୍କରେ ବାଧା ଉପୁଜିବାରୁ ପ୍ରେମିକ ସହ ମିଶି ନିଜ ମାଆର ହତ୍ୟା କଲା ଝିଅ

ଥାନେ: ଥାନେର ଉହ୍ଲାସନଗର ଅଞ୍ଚଳ‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ଯୁବତୀ ତାଙ୍କର ୧୯ ବର୍ଷୀୟ ପ୍ରେମିକ ସହ ମିଶି ନିଜ ମାଆଙ୍କୁ ହତ୍ୟା କରିଥିବା ‌ଅଭିଯୋଗ ହୋଇଛି। ପୁଲିସ୍‌ ଯୁବତୀଙ୍କୁ ଅଟକ ରଖିବା ସହ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ମୃତ ମହିଳା ଜଣକ ନିଜ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଝିଅ ସହ ଉହ୍ଲାସନଗରରେ ରହୁଥିଲେ। ରବିବାର ସକାଳେ ହଠାତ ତାଙ୍କ ବାସଭବନରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ତଦନ୍ତ କାଳରେ ମହିଳାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଦେଖିବାକୁ ପାଇଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ୧୫ ବର୍ଷୀୟା ଯୁବତୀ ତାଙ୍କର ୧୯ ବର୍ଷୀୟ ଅଭିଯୁକ୍ତ ପ୍ରେମିକ ଏକ ଜିନ୍‌ସ ଫ୍ୟାକ୍ଟ୍ରିରେ ଇଣ୍ଟର୍ଣ୍ଣ ଭାବେ କାମ କରୁଥିଲେ। ସେ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ଯୁବତୀଙ୍କ ମାଆ ଅସ୍ବୀକାର କରିବାରୁ ଦୁହେଁ ଯୋଜନା କରି ମହିଳାଙ୍କ ହତ୍ୟା କରିଛନ୍ତି।

ଯୁବତୀ ପୁଲିସ୍‌ ସମ୍ମୁଖରେ ସ୍ବୀକାର କରି କହିଛନ୍ତି ଯେ ସେ ନିଜ ମାଆଙ୍କୁ ମାରିବା ପାଇଁ ଶନିବାର ମଧ୍ୟାହ୍ନ ଭୋଜନ ସମୟରେ ଘରକୁ ଆସି ବାହାର କବାଟ ଖୋଲା ରଖିଥିଲେ। ସେ ତାଙ୍କ ମାଆଙ୍କୁ ଭୁଲେଇ ରୋଷେଇ ଘର ଆଡ଼େ ନେଇ ଯାଇଥିଲେ। ସେହି ସମୟରେ ପଛ ପଟରୁ ତାଙ୍କ ପ୍ରେମିକ ଆସି ତାଙ୍କ ମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେଠାରୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର