ଦିଲ୍ଲୀ ପୁଲିସର ୧୫୦ କର୍ମଚାରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଗତ ଛଅ ବର୍ଷ ମଧ୍ୟରେ ୧୫୦ ଜଣ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ହୋଇଛି, କିନ୍ତୁ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ୧୨୨ଟି ମାମଲର ତଦନ୍ତ ଚାଲିଛି। ସେଥିରୁ କେତେକ ମାମଲାରେ ଚାର୍ଜ ଫାଇଲ ହୋଇଛି। ଅନ୍ୟ ୨୮ ମାମଲାରେ ଜଡ଼ିତ ଥିବା ପୁଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରାଯାଇଛି।

ପିଛା କରିବା, ଅଭଦ୍ର ଭାବରେ ଛୁଇଁବା ଏବଂ ଅସ୍ୱାଭାବିକ ଯୌନକ୍ରିୟା ପାଇଁ ଚେଷ୍ଟା କରିବା ଆଦି ଅଭିଯୋଗ ଧରି କେତେକ ମହିଳା ଥାନାରେ ଫେରାଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ମହିଳା ପୁଲିସ କର୍ମଚାରୀ। ସେମାନେ ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ।

ଦିଲ୍ଲୀ ପୁଲିସର ୪୫ଟି ବିଭାଗରୁ ୩୮ଟି ବିଭାଗରୁ ଏହି ତଥ୍ୟ ଯୋଗାଡ଼ କରାଯାଇଛି। ବାକି ବିଭାଗ କୌଣସି ତଥ୍ୟ ଦେଇ ନାହାନ୍ତି।

ପୁଲିସ ଯୌନ ନିର୍ଯାତନାରେ ଜଡ଼ିତ ଥିବା ଘଟଣାକୁ ଦିଲ୍ଲୀ ପୁଲିସ ମୁଖପାତ୍ର ଦେବେନ୍ଦ୍ର ପାଠକ ଅସ୍ୱୀକାର କରିଛନ୍ତି।

ଦିଲ୍ଲୀ ପୁଲିସ କର୍ମଚାରୀମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଏ। କନେଷ୍ଟବଳ, ହେଡ୍‌ କନେଷ୍ଟବଳ, ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏବଂ ସବ୍‌-ଇନ୍‌ସ୍‌ପେକ୍ଟର୍‌।

କଠୋର ଆଇନ ଥାଇ ମଧ୍ୟ ଭାତରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ରିପୋର୍ଟ କରାଯାଏ ନାହିଁ। ବିଶେଷ କରି କର୍ମସ୍ଥଳୀରେ ମହିଳାମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା କଥା ରିପୋର୍ଟ କରାଯାଏ ନାହିଁ। ନାଗରିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ନିଯୁକ୍ତ ପୁଲିସମାନଙ୍କ ଉପରେ ମଧ୍ୟ ଖୁବ୍‌ କମ୍‌ ଧ୍ୟାନ ଦିଆଯାଏ।

Image Courtesy of Nyoooz

ଅଧିକାର କର୍ମୀମାନେ କହନ୍ତି ଯେ ଥାନାରେ ଅପରାଧ ବିଷୟରେ ଅଭିଯୋଗ କରିବା ବଡ଼ ଭୟଙ୍କର କଥା। ଅଭିଯୋଗକାରୀମାନେ ଥାନାରେ ମଧ୍ୟ ନିର୍ଯାତନା ପାଆନ୍ତି। ମହିଳା ଅଭିଯୋଗକାରୀଙ୍କୁ ଲାଞ୍ଚ ଭାବେ ଯୌନ-ସୁଖ ମଗାଯାଏ।

ଥରେ ଜଣେ ମହିଳା ଅଭିଯୋଗ କଲେ ଯେ ୨୦୧୫ ମସିହାରେ ଜଣେ କନେଷ୍ଟବଳ ଏବଂ ତାଙ୍କ ପୁଅ ତାଙ୍କ ସହ ଦୁଷ୍କର୍ମ କରିବା ସହ ମାର୍‌ଧର୍‌ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ସେ ପୁଲିସକୁ ଗିରଫ କରାଯାଇଛି। ଅଦାଲତ ସେ ମାମଲାର ରାୟ ଶୁଣାଇବେ। ଏ ଖବର ଆସିଛି ରୋହିଣୀ (ଦକ୍ଷିଣ) ଥାନାରୁ।

ଉତ୍ତର ଦିଲ୍ଲୀର ସବ୍‌ଜି ମଣ୍ଡି ଥାନାରୁ ଆସିଛି ଏମିତିକା ଅନ୍ୟ ଏକ ଖବର। ଗତ ବର୍ଷ ସେଠାରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଜଣେ ମହିଳାଙ୍କ ସହ ଅସ୍ୱାଭାବିକ ଯୌନକ୍ରିୟା କରିବାକୁ ଚେଷ୍ଟା କରିଥିବା କଥା ଅଭିଯୋଗ ହୋଇଥିଲା।

ଥାନାକୁ ଅଭିଯୋଗ କରିବାକୁ ଯାଇ ଥିବା ଦୁଇ ଜଣ ମହିଳାଙ୍କୁ ମାନସିକ ନିର୍ଯାତନା ଦିଆ ଯାଇଥିଲା। ବରିଷ୍ଠ ଅଧିକାରୀମାନେ ତାଙ୍କୁ ଧମକ ଦେଇଥିଲେ ବୋଲି ସେ ଦୁଇ ଜଣ ଗଣମାଧ୍ୟମ ଆଗରେ କହିଛନ୍ତି।

ଜଣେ ମହିଳା କହିଛନ୍ତି ଗତବର୍ଷ ଜଣେ ହେଡ୍‌ କନେଷ୍ଟବଳ ତାଙ୍କୁ ଅଭଦ୍ରଭାବେ ସ୍ପର୍ଶ କରିଥିଲେ। ସେ ମହିଳା ତାଙ୍କ ବିରୋଧରେ ମାମଲା ଦାଏର କରିବାକୁ ଯିବାରୁ ଜଣେ ଏସିପି ତାଙ୍କୁ ବୁଝାସୁଝା କରିଥିଲେ। ଭବିଷ୍ୟତରେ କିଛି ଅସୁବିଧା ହେଲେ ପୁଲିସ ଆଉ ସାହାଯ୍ୟ କରିବ ନାହିଁ ବୋଲି ସେମାନେ ଧମକାଇ ଥିଲେ।

୧୫୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶତକଡ଼ା ୩୦ ଭାଗ ମାମଲାର ବିଚାର କରାଯାଇ ଅଭିଯୁକ୍ତମାନଙ୍କର ୪ ବର୍ଷ ପାଇଁ ପଦୋନ୍ନତି ରଦ୍ଦ କରାଯାଇଛି। ଦୁଇ ଜଣ କନେଷ୍ଟବଳଙ୍କୁ ବହିଷ୍କାର କରାଯାଇଛି।

ସମ୍ବନ୍ଧିତ ଖବର