ଭୁବନେଶ୍ବର : କ୍ରାଇମବ୍ରାଞ୍ଚର ଏସଟିଏଫ୍ ଆଜି ଆଉ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ତା’ ନାଁ ବିଶାଲ ସିଂହ। ଘର ଝାଡ଼ଖଣ୍ଡର ହଜାରିବାଗରେ। ଏଠାରେ ଖଣ୍ଡଗିରି ଥାନା ଅଧୀନ ଜାଗମରା ପଞ୍ଚସଖା ନଗରରେ ରୁହେ। କ୍ରାଇମ ବ୍ରାଞ୍ଚ ତା’ ନିକଟରୁ ୧୫ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। କ୍ରାଇମ ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ବିଶାଲ ଗତ ଦୁଇ ବର୍ଷ ହେବ ବାଲେଶ୍ବର ଅଞ୍ଚଳରୁ ବ୍ରାଉନ୍ସୁଗାର ଆଣି ଏଠାରେ କେତେକ ଇଂଜିନିୟରିଂ ଛାତ୍ରଙ୍କୁ ଯୋଗାଉଥିଲା। ଏ ନେଇ ଏସଟିଏଫ୍ ସୂଚନା ପାଇବା ପରେ ବିଶାଲକୁ ଖୋଜାଖୋଜି କରୁଥିଲା। ଆଜି ସେ ବାଲେଶ୍ବରରୁ ବ୍ରାଉନ୍ସୁଗାର ନେଇ ଭୁବନେଶ୍ବର ଆସୁଥିବା ବେଳେ ଏସ୍ଟିଏଫ ଅଧିକାରୀମାନେ ତାକୁ କାବୁ କରି ନେଇଥିଲେ। ବାଲେଶ୍ବରରେ ବିଶାଲକୁ କିଏ ବ୍ରାଉନସୁଗାର ଯୋଗାଉଥିଲା, ଏ ନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍ଟିଏଫ। ଏ ସମ୍ପର୍କରେ ବିଶାଲଠାରୁ ମଧ୍ୟ କିଛି ସୂଚନା ମିଳିଛି। ସେହି ସୂଚନାକୁ ଆଧାର କରି ଏସଟିଏଫ୍ ବାଲେଶ୍ବରରେ ଚଢ଼ଉ କରି ତାର ସହଯୋଗୀମାନଙ୍କୁ ଗିରଫ କରିବାକୁ ଯୋଜନା କରିଛି ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ରାଜ୍ୟ ନିଶା କାରବାର ବିଶେଷକରି ବ୍ରାଉନ୍ସୁଗାର ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମ ବ୍ରାଞ୍ଚର ଏସ୍ଟିଏଫ। ଗତ ୧୧ ଦିନ ମଧ୍ୟରେ ଏସଟିଏଫ୍ ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢ଼େଙ୍କାନାଳ ଓ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯୩ଗ୍ରାମ୍ର ବ୍ରାଉନ୍ସୁଗାର, ନଗଦ ୯ଲକ୍ଷ ଟଙ୍କା, ୩ଟି ବାଇକ୍, ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/brown-sugar-f.jpg)