୬ ଜଣଙ୍କଠାରୁ ୧୫ଲକ୍ଷ ଟଙ୍କା ଠକେଇ

ବିଦେଶ ବୁଲାଇବା ବାହାନାରେ ଠକୁଛି ନକଲି ଟୁର୍‌ ସଂସ୍ଥା

ପୁରୁଣା ଭୁବନେଶ୍ୱର: ବିଦେଶ ବୁଲାଇ ନେବା ପାଇଁ ରାଜଧାନୀରେ ଖୋଲିଛି ନକଲି ଟୁର୍‌ ସଂସ୍ଥା। କୌଣସି ପଞ୍ଜୀକରଣ ନଥାଇ ଏଭଳି ମାଳମାଳ ଟୁର୍‌ ସଂସ୍ଥା ଲୋକଙ୍କୁ ଠକି ଚାଲିଥିବାବେଳେ ଏପରି ସଂସ୍ଥା ଉପରେ ସରକାରଙ୍କ କୌଣସି ନଜର ନାହିଁ କି ନିୟନ୍ତ୍ରଣ ନାହିଁ। ଏହା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହେଉଛନ୍ତି ଲୋକେ। ଏପରି ଏକ ବଡ଼ ଠକେଇ ଘଟଣା ନଜରକୁ ଆସିଛି ରାଜଧାନୀ ବଡ଼ଗଡ଼ ଥାନା ଅଧୀନ ଗୌତମନଗରରେ। ୬ଜଣ ଲୋକଙ୍କଠୁ ୧୫ଲକ୍ଷରୁ ଊର୍ଧ ଟଙ୍କା ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ କେନ୍ଦୁଝର ଅଞ୍ଚଳର ସ୍ମୃତିରଞ୍ଜନ ବିଶ୍ୱାଳ ବଡ଼ଗଡ଼ ଥାନା ଅଧୀନ ଗୌତମନଗରରେ ପ୍ୟାନ୍‌ ଇଣ୍ଡିଆ ଲିଜର ଏଣ୍ଡ୍‌ ହଲିଡେ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫରେନ୍‌ ଟୁର୍‌ ସଂସ୍ଥା ଖୋଲିଥିଲେ। ସେ ବିଭିନ୍ନ ଆକର୍ଷଣୀୟ ପ୍ୟାକେଜ୍‌ରେ ଲୋକଙ୍କୁ ଥାଇଲାଣ୍ଡ୍‌, ବ୍ୟାଙ୍କକକ୍‌ ପ୍ରଭୃତି ଦେଶ ବୁଲାଇବା ପାଇଁ ବିଜ୍ଞାପନ ଦେଇଥିଲେ। ଏଥିରେ ଆକୃଷ୍ଟ ହୋଇ ସହିଦନଗରର ଗୌରାଙ୍ଗ ଚରଣ ନନ୍ଦ, ସରୋଜବାଳା ମହାନ୍ତି ପ୍ରମୁଖ ୬ଜଣ ଲୋକ କିସ୍ତି ଅନୁଯାୟୀ ଟଙ୍କା ଦେଇଥିଲେ। ସେମାନେ ସଂସ୍ଥାରେ ୧୫ଲକ୍ଷରୁ ଊର୍ଧ ଟଙ୍କା ଜମା କରିଥିଲେ। ତେବେ ହଠାତ୍‌ ସଂସ୍ଥାର ମାଲିକ ସ୍ମୃତିରଞ୍ଜନ କେଉଁଆନେ ଉଭାନ ହୋଇଗଲେ। ଟଙ୍କା ଜମା କରିଥିବା ଲୋକେ ତାଙ୍କ ଫୋନ୍‌ ନମ୍ବରକୁ ବହୁବାର ଫୋନ୍‌ କଲେ ମଧ୍ୟ ସେ ଫୋନ୍‌ ଧରି ନ ଥିଲେ। ତେଣୁ ସ୍ମୃତି ଟଙ୍କା ନେଇ ଚମ୍ପଟ ମାରିଥିବା ସେମାନେ ନିଶ୍ଚିତ ହୋଇ ଯାଇଥିଲେ। ଏନେଇ ଗୌରାଙ୍ଗ ଓ ସରୋଜବାଳା ଆଜି ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଟୁର୍‌ ସଂସ୍ଥାର ସରକାରୀ ଭାବେ ପଞ୍ଜୀକରଣ ହୋଇନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବିନା ପଞ୍ଜୀକରଣରେ ରାଜଧାନୀରେ ମାଳମାଳ ସଂସ୍ଥା
ସରକାରଙ୍କ ନଜର ନାହିଁ କି ନିୟନ୍ତ୍ରଣ ନାହିଁ

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଲୁଇସ୍‌ ରୋଡ଼୍‌ରେ ଏପରି ଏକ ସଂସ୍ଥା ଖୋଲି ଲୋକଙ୍କଠୁ ଠକେଇ କରିଥିଲା। ତେଣୁ ଏପରି ଟୁର୍‌ ସଂସ୍ଥା ଉପରେ ନିୟନ୍ତ୍ରଣ ରଖିବାକୁ ସାଧାରଣରେ ଦାବି ହେଉଛି। ଜଣାଶୁଣା ଟୁର୍‌ ଗାଇଡର୍‌ ଅରୁଣ କୁମାର ନାୟକ କହନ୍ତି ଏଭଳି ଠକ ଟୁର୍‌ ସଂସ୍ଥା ଉପରେ ନିୟନ୍ତ୍ରଣ ରହିଲେ ଓଡ଼ିଶାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବା ସହ ଓଡ଼ିଶାରୁ ମଧ୍ୟ ପର୍ଯ୍ୟଟକମାନେ ଠକାମିର ଶିକାର ନ ହୋଇ ଦେଶ ବିଦେଶକୁ ବୁଲିବାକୁ ଯିବା ପାଇଁ ଉତ୍ସାହିତ ହେବେ।

ସମ୍ବନ୍ଧିତ ଖବର