ଗୋଟିଏ ରାତିରେ ତିନିଟି ସ୍ଥାନରେ ନାବାଳିକା ହେଲେ ଦୁଷ୍କର୍ମର ଶିକାର!

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରରେ ଜଣେ ୧୬ବର୍ଷର ନାବାଳିକା ଗୋଟିଏ ରାତିରେ ତିନିଟି ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ଏଯାବତ ଚାରିଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀଙ୍କ ବୟସ ୧୮ରୁ ୨୩ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଏହି ଦୁଷ୍କର୍ମଘଟଣାରେ ସାମିଲ ଥିବା ଆଉ ଦୁଇଜଣଙ୍କୁ ପୁଲିସ ଖୋଜିବା ପାଇଁ ତଦନ୍ତ ଚଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ମଇ ୩୧ରୁ ଜୁନ ୧ ତାରିଖ ରାତିରେ ଘଟିଛି। ୧୬ବର୍ଷର ବାଳିକା ନିଖୋଜ ହୋଇଯାଇଥିବା ନେଇ ପରିବାରଲୋକ ମାମଲା ୱେଷ୍ଟ ଥାନାରେ ରୁଜୁ କରିଥିଲେ। ମାମଲା ରୁଜୁ ହେବା କ୍ଷଣି ପୁଲିସ ନାବାଳିକାଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା।

ମାମଲା ରୁଜୁ ହେବାର ପରଦିନ ନାବାଳିକା ନିଜେ ଆସି ଘରେ ପହଞ୍ଚିଥିଲେ। ସେ ପୂରାପୂରି ଭୟଭୀତ ହୋଇଯାଇଥିବା ସହିତ ଦୁର୍ବଳ ବି ଦେଖାଯାଉଥିଲେ। ଝିଅର ଏଭଳି ଅବସ୍ଥା ଦେଖି ମା’ ବାପା କ’ଣ ହୋଇଛି ବୋଲି ପଚାରିଥିଲେ। କିନ୍ତୁ ସେ କିଛି ଉତ୍ତର ଦେଇ ନଥିଲେ। ପରେ ମହିଳା ପୁଲିସ ପାଖରେ ଏଖବର ପହଞ୍ଚିବା ପ‌ରେ ସେ ନାବାଳିକାଙ୍କୁ ଧୀରେଧୀରେ ବୁଝାଇସୁଝାଇ କ’ଣ ହୋଇଛି ବୋଲି ପଚାରିଥିଲେ। ନାବାଳିକା ଜଣକ କିଛି ସମୟ ଚୁପ ରହିବା ପରେ ନିଜ ସହିତ ଘଟିଥିବା ଘଟଣାକୁ ବଖାଣିଥିଲେ। ଯାହାକୁ ଶୁଣି ଘଟଣାସ୍ଥଳରେ ଥିବା ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ପୀଡିତା ନାବାଳିକାଙ୍କ କହିବାନୁସାରେ, ସେ ତାଙ୍କ ସାଙ୍ଗର ଜନ୍ମଦିନ ଭୋଜିରେ ଯାଇଥିଲେ। ଏହି ସମୟରେ ତାଙ୍କର ଦୁଇଜଣ ସାଙ୍ଗ ତା’ଙ୍କ ସହିତ କାରରେ ଦୁଷ୍କର୍ମ କରି ଆଉ ଜଣେ ସାଙ୍ଗ ଘରେ ଛାଡ଼ି ଦେଇଥିଲେ। ସେଠାରେ ବି ତାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡ଼ିଥିଲା। ଏସବୁ ଘଟଣା ପରେ ସେ ଭୟଭୀତ ହୋଇ ଆଉ ଜଣେ ସାଙ୍ଗର ସାହାଯ୍ୟ ପାଇଁ ତା’ପାଖରେ ଯାଇ ପହଞ୍ଚିଥିଲେ। ସେ ସାଙ୍ଗ ସାହାଯ୍ୟ କରିବ କ’ଣ ନାବାଳିକାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିଲା। ବହୁ କଷ୍ଟରେ ସେ ଘରେ ଆସି ପହଞ୍ଚିଥିଲେ।

 

ସମ୍ବନ୍ଧିତ ଖବର