୧୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ଖଣ୍ଡଗିରି: ବୁଧବାର ପୁଣି ରାଜଧାନୀରୁ ଜବତ ହୋଇଛି ୧୭୦ ଗ୍ରାମ୍ ଭଳି ବିପୁଳ ପରିମାଣର ବ୍ରାଉନ୍ ସୁଗାର। ବାଣୀବିହାର ଛକରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏହି ଜହର କାରବାର କରୁଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭିଏସ୍ଏସ୍ ନଗର ଅଞ୍ଚଳର ଏସ୍ ଉମାଶଙ୍କର ରାଓ। ଅବକାରୀ ଅଧିକାରୀମାନେ ତା ନିକଟରୁ ୧୭୦ ଗ୍ରାମ ବ୍ରାଉନ୍ ସୁଗାର ସହ ଏକ ବାଇକ୍ ଜବତ କରିଛନ୍ତି। ଜବତ ମାଲ୍‌ର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଜାମିନ୍ ନାମଞ୍ଜୁର ହେବା ପରେ ଉମାଶଙ୍କରକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶକ୍ରମେ ଓ ଡେପୁଟି କମିସନର ରାମଚନ୍ଦ୍ର ପାଲ୍‌ତାଙ୍କ ତଥ୍ୟକୁ ଭିତ୍ତି କରି ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅଧିକାରୀମାନେ ଏହି ଚଢ଼ଉ କରିଥିଲେ। ଆଇଆଇସି ଜଗଦୀଶଚନ୍ଦ୍ର ସାମଲ, ଆଇଆଇସି ବାଲୁରାମ୍ ସୋରେନ୍, ଏସ୍‌ଆଇ ଧନଞ୍ଜୟ ପାତ୍ର, ଏସ୍ଆଇ କିଶୋର ରାଉତ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ସ୍କ୍ବାଡ୍‌ ଏହି ଅପରେସନ୍‌ରେ ସାମିଲ୍ ହୋଇଥିଲେ। ବାଣୀବିହାର ଛକରେ ହିଁ ତାକୁ ଅଧିକାରୀମାନେ କାବୁ କରିନେଇଥିଲେ। ଅଧିକାରୀମାନଙ୍କ ସୂଚନାନୁସାରେ ରାଜଧାନୀର ଏକ ପ୍ରତିଷ୍ଠିତ କଲେଜରୁ ଗ୍ରାଜୁଏସନ୍ କରିସାରିବା ପରେ ଉମାଶଙ୍କର ଏହି ଚୋରା ବେପାରରେ ପଶି ଯାଇଥିଲା। ଅଧିକ ଲାଭଜନକ ବ୍ୟବସାୟ ହୋଇଥିବାରୁ କମ୍ ଦିନ‌ରେ ବଡ଼ ମଣିଷ ହେବାର ସ୍ବପ୍ନ ଦେଖି ସେ ଏଭଳି ଜହର କାରବାର କରିବାକୁ କୁଣ୍ଠାବୋଧ କରି ନଥିଲା। ନିଜେ ସିଧାସଳଖ ଜଳେଶ୍ବରରୁ ମାଲ୍ ଆଣି ରାଜଧାନୀରେ ବେପାର କରୁଥିଲା। ତା’ଠାରୁ କିଛି ଛୋଟ ବେପାରୀ ମାଲ୍ କିଣି ନେଉଥିବାବେଳେ ସେ ମଧ୍ୟ ନିଜେ କଲେଜ ଛାତ୍ରମାନଙ୍କୁ ମାଲ୍ ଯୋଗାଉଥିଲା। ସହରର କିଛି ଭଲ ଭଲ ଛାତ୍ରାବାସ ଓ ମେସ୍ ଥିଲା ଉମାଶଙ୍କରର ବେପାର ପେଣ୍ଠ।

ସମ୍ବନ୍ଧିତ ଖବର