ଝିଅ ବିବାହ ପାଇଁ କାର୍ଡ ବାଣ୍ଟିବାକୁ ବାହାରିଥିବା ବାପାଙ୍କୁ ଆସିଲା ଏକ ଫୋନ୍‌କଲ୍‌, ଘର ସାମ୍ନାରେ ପଡ଼ିଛି ତୁମ ପୁଅର ମୃତଦେହ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାକୁ ନେଇ ୧୭ବର୍ଷର ନାବାଳକକୁ ଗୁଳି ମାରି ହତ୍ୟା କରି ଦିଆଯାଇଛି। ମୃତ ନାବାଳକ ଭଉଣୀର ବିବାହ ହେବାର ଥିଲା। ଝିଅ ବିବାହ ପାଇଁ ବନ୍ଧୁ ଘରକୁ କାର୍ଡ ବାଣ୍ଟିବାକୁ ଯାଇଥିବା ସମୟରେ ପୁଅର ମୃତଦେହ ଘର ସାମ୍ନାରେ ପଡ଼ିଥିବା ନେଇ କେହି ଜଣେ ପିତାଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ସବୁକିଛି ପାଣି ଫଟକା ଭଳି ମିଳାଇ ଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀର ଭଲସ୍ୱା ଡେରି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୁଲିସ ଅଧିକାରୀଙ୍କ କହିବାନୁସାରେ, ମୃତକଙ୍କ ନାମ ବିଶାଳ ମିଶ୍ର ବୋଲି ଜଣାପଡ଼ିଛି। ସେ ଭଲସ୍ୱା ଡେରିର ଜି ବ୍ଲକ୍‌ର ଗଳି ନମ୍ବର ୪ରେ ନିଜ ପରିବାର ସହିତ ରହୁଥିଲା। ତାର ପିତା ଟ୍ରାନ୍ସପୋର୍ଟରେ କାମ କରିଥାଆନ୍ତି।

କୁହାଯାଉଛି କି ଶୁକ୍ରବାର ରାତିରେ ବିଶାଳ ନିଜ ସାଙ୍ଗମାନଙ୍କ ସହ ପାଖ ବଜରଙ୍ଗ ଚୌକରେ ଛିଡା ହୋଇଥିଲା। ଏହି ସମୟରେ ତିନି-ଚାରି ଜଣ ପିଲାଙ୍କ ସହିତ ତାର ଝଗଡ଼ା ହୋଇଯାଇଥିଲା। ଏହି ସମୟରେ ଜଣେ ପିଲା ବିଶାଳକୁ ଗୁଳି ମାରି ଦେଇଥିଲା। ଏହି ଗୁଳି ବିଶାଳର ଆଖିରେ ଲାଗିଥିଲା। ଯେଉଁ କାରଣରୁ ବିଶାଳର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ବିଶାଳଙ୍କ ବଡ଼ ଭଉଣୀର ଜୁନ୍‌ ୨୧ରେ ବିବାହ ଥିଲା। ପୂରା ପରିବାର ବିବାହ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ପିତା ଝିଅ ବିବାହ ପାଇଁ ବନ୍ଧୁବାନ୍ଧବଙ୍କୁ କାର୍ଡ ବାଣ୍ଟିବାକୁ ବାହାରି ପଡ଼ିଥିଲେ। ଏହି ସମୟରେ ତାଙ୍କ ପାଖକୁ ଫୋନ୍‌ ଆସିଥିଲା କି, ବିଶାଳକୁ କିଏ ଗୁଳି ମାରି ଦେଇଛି। ପୁଅ ମୃତଦେହ ତାଙ୍କ ଘର ସାମ୍ନାରେ ପଡ଼ିଛି। ଏଭଳି ଖବର ସମଗ୍ର ଅଞ୍ଚଳରେ ଶୋକକୂଳ ବାତାବରଣ ସୃଷ୍ଟି କରି ଦେଇଥିଲା।

ସମ୍ବନ୍ଧିତ ଖବର