ରକ୍ତର ହୋଲି ଖେଳିଲେ ସ୍କୁଲ ଛାତ୍ର, ଅନଲାଇନରେ ଛୁରୀ ମଗାଇ ସହପାଠୀକୁ ହତ୍ୟା କଲେ

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶନଗର ଅଞ୍ଚଳରୁ ଆସିଲା ଏକ ବଡ଼ ଅପରାଧର ଖବର । ରକ୍ତରେ ହୋଲି ଖେଳିଲେ ସ୍କୁଲ ଛାତ୍ର । ଜଣେ ୧୭ ବର୍ଷୀୟ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କଲେ ତାଙ୍କ ସହପାଠୀ । କଲମ ବଦଳରେ ଛୁରୀ ଧରି କଲେ ଜଘନ୍ୟ ହତ୍ୟା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଏହା ସହ ଏଥିରେ ବ୍ୟବହାର କରାଯାଇଥିବା ଛୁରୀକୁ ମଧ୍ୟ ଉଦ୍ଧାର କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨, ୩୦୭ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି ପୁଲିସ । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି କି ପ୍ରତିଶୋଧ ପରାୟଣ ହୋଇ ସହପାଠୀକୁ ହତ୍ୟା କରିବା ଲାଗି ଛାତ୍ର ଜଣକ ଅନଲାଇନରେ ଛୁରୀ ମଗାଇଥିଲା।

ଏ ସମ୍ପର୍କରେ ପୁଲିସ କହିଛି ଯେ ଗୁରୁବାର ଆଦର୍ଶ ନଗରରେ ଘଟିଥିବା ଘଟଣା ସମ୍ପର୍କରେ ପୁଲିସକୁ କଲ ଆସିଥିଲା । ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛୁରୀମାଡ଼ରେ ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ବୁରାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସା ସମୟରେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଡିସିପି ଉଷା ରଙ୍ଗନାନି କହିଛନ୍ତି ଯେ ମୃତ ଛାତ୍ର ଜଣକ ବୁରାରୀରେ ରହୁଥିବା ଦୀପାଂଶୁ ବୋଲି ଜଣାପଡିଛି । ତାଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରାଯାଇଥିଲା। ଫଳରେ ଦୀପାଂଶୁଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। । ଚିକିତ୍ସା ପାଇଁ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ସମ୍ପର୍କରେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପୂର୍ବରୁ ଦୀପାଂଶୁ ତାଙ୍କ ବିଦ୍ୟାଳୟର କିଛି ଛାତ୍ରଙ୍କ ସହ ଝଗଡ଼ା କରିଥିଲେ । ଏହି ଛାତ୍ରମାନେ ପ୍ରତିଶୋଧ ନେବାକୁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୁଲିସ କହିଛି ଯେ ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରିବା ପରେ ଆଜାଦପୁରର ଲାଲବାଗରୁ ସାତ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସେପଟେ ପୁଲିସ କହିଛି ଯେ ମୃତ ଛାତ୍ର ଏବଂ ତାଙ୍କୁ ଛୁରାମାଡ଼ କରିଥିବା ଯୁବକମାନେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ପୁଲିସ ଯୁବକମାନଙ୍କଠାରୁ ଛୁରୀ ଜବତ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର