ବନ୍ଧୁକ ଦେଖାଇ ୧୮ଲକ୍ଷ ଟଙ୍କା ଲୁଟ୍‌

ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଠାରୁ ମାତ୍ର ୩୦୦ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ନିକଟରେ ଆଜି ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପାନ ମସଲା କମ୍ପାନିର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଏଭଳି ଲୁଟ ହୋଇଥିବା ସଂପର୍କରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ମାମଲା (କେସ ନଂ ୧୩୮/୧୯) ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ ବିମଲ ପାନ ମସଲା କମ୍ପାନିର କର୍ମଚାରୀ ସନ୍ତୋଷ ରାୟ ଅନୁଗୁଳ, ତାଳଚେର, ଢେଙ୍କାନାଳ ଓ ଗୋବିନ୍ଦପୁର ଅଞ୍ଚଳରେ ଥିବା ମସଲା କମ୍ପାନି ଡିଲରଙ୍କ ଠାରୁ ୧୮ଲକ୍ଷ ଟଙ୍କା  ଆଦାୟ କରି ଆଜି ଆଦାୟ ଅର୍ଥକୁ  କମ୍ପାନିରେ ଜମା ଦେବାପାଇଁ ନିଜ ଘର ଢେଙ୍କାନାଳ ସଦର ଥାନା ହରେକୃଷ୍ଣପୁର ଗ୍ରାମରୁ ବାଇକରେ ଭୁବନେଶ୍ୱର ଯାଉଥିଲେ।  ଦିନ ପ୍ରାୟ ୧୧ଟା ବେଳେ ୨ଟି ପଲସର ବାଇକରେ ୪ ଜଣ ହେଲମେଟ ପିନ୍ଧା ଯୁବକ ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାକିଶୋରପୁର ଓଭର ବ୍ରିଜଠାରେ ସନ୍ତୋଷଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏକ ବ୍ୟାଗରେ ଥିବା ୧୮ଲକ୍ଷ ଟଙ୍କାକୁ ସନ୍ତୋଷଙ୍କ ଠାରୁ ଝାମ୍ପି ନେଇ ଚୌଦ୍ୱାର ଅଭିମୁଖେ ପଳାଇ ଯାଇଥିଲେ।  ଲୁଟର ଏକ ଘଣ୍ଟା ପରେ ଢେଙ୍କାନାଳ ପୁଲିସଠାରୁ ସୂଚନା ପାଇ ଖୁଣ୍ଟୁଣୀ ଥାନା ଆଇଆଇସି ସୁଚିତ୍ରବୀର୍ଯ୍ୟ ଦାସ ଘଟଣାସ୍ଥଳରେ ପହଞ୍ଚି ଲୁଟର ଶିକାର ସନ୍ତୋଷଙ୍କ ଠାରୁ ଲୁଟ ସମ୍ପର୍କରେ ସମସ୍ତ ଘଟଣା ବୁଝି ଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଧାବିନୋଦ ପାଣିଗ୍ରାହୀ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ପହଞ୍ଚି  ଘଟଣାର ଅନୁଧ୍ୟାନ କରିଥିଲେ।  ଟଙ୍କା ଲୁଟ ସମ୍ପର୍କରେ ଯଦି ତୁରନ୍ତ ଲୁଟର ଶିକାର କର୍ମଚାରୀ ଖୁଣ୍ଟୁଣୀ ଥାନାକୁ ଖବର କରିଥାନ୍ତେ ତେବେ ଲୁଟେରାଙ୍କୁ ଧରିବାରେ ପୁଲିସ ହୁଏତ ସଫଳ ହୋଇପାରିଥାନ୍ତା ବୋଲି କୁହାଯାଉଛି। ଅପରପକ୍ଷେ ପୁଲିସ ଲୁଟ ଘଟଣାର ବିଭିନ୍ନ ଦିଗ ଉପରେ  ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର