ନୂଆଦିଲ୍ଲୀ: ‘ଆାମାଜନ୍’ରେ ବରିଷ୍ଠ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଥିବା ୩୬ ବର୍ଷିୟ ହରପ୍ରୀତ୍ ଗିଲ୍ଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ କରିଥିବା କଥା ପୁଲିସ ଗିରଫ କହିଛି।
ପୁଲିସ କହିଛି, ରାତି ପ୍ରାୟ ୨ଟା ବେଳେ ସିଗ୍ନେଚର୍ ବ୍ରିଜ୍ ନିକଟରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୮ ବର୍ଷିୟ ବିଲାଲ୍ ଗନି।
ସୂଚନାଯୋଗ୍ୟ, ଭଜନପୁରର ସୁଭାଷ ବିହାରରେ ମଙ୍ଗଳବାର ରାତି ପ୍ରାୟ ୧୧.୩୦ରେ ୫ଜଣ ଅଜ୍ଞାତ ବ୍ୟକ୍ତିଙ୍କଦ୍ବାରା ଗିଲ୍ ନିହତ ହୋଇଥିଲେ। ଏହାଛଡ଼ା, ଗିଲ୍ଙ୍କ ସାଥିରେ ଥିବା ଗୋବିନ୍ଦ ସିଂହ ନାମରେ ତାଙ୍କର ଜଣେ ୩୨ ବର୍ଷିୟ ଆତ୍ମୀୟଙ୍କ ଉପରକୁ ମଧ୍ୟ ସେମାନେ ଗୁଳି ଚଳାଇଥିଲେ।
ପୁଲିସ କହିଛି, ଚିହ୍ନାପଡ଼ିଥିବା ଅନ୍ୟମାନେ ହେଉଛନ୍ତି, ୧୮ ବର୍ଷିୟ ମହମଦ୍ ସମୀର ଓରଫ ମାୟା, ୨୩ ବର୍ଷିୟ ସୋହୈଲ୍ ବାୱର୍ଚି, ୨୩ ବର୍ଷିୟ ମହମଦ୍ ଜୁନୈଦ୍ ଓରଫ ବିରିୟାନି ଏବଂ ୧୯ ବର୍ଷିୟ ଆଦ୍ନା୍ ଓରଫ ଡନ୍।
ମଙ୍ଗଳବାର ରାତିରେ ଅଭିଯୁକ୍ତମାନେ ଗନିଙ୍କ ଘରେ ଭୋଜି କରୁଥିଲେ। ପରେ ରାତି ପ୍ରାୟ ୧୦.୩୦ରେ ସେମାନେ ଗାଡ଼ି ଚଳାଇବା ପାଇଁ ବାହାରକୁ ଯିବାକୁ ସ୍ଥିର କରିଥିଲେ। ସେତେବେଳେ ମହମଦ୍ ସମୀରଙ୍କ ପାଖରେ ପିସ୍ତଲ୍ ଥିଲା ବୋଲି ପୁଲିସ କହିଛି।
୫ଜଣ ଅଭିଯୁକ୍ତ ୨ଟି ସ୍କୁଟର୍ ଚଳାଇ ଭଜନପୁର ଅଞ୍ଚଳରେ ଗୋଟାଏ ଅଣଓସାରିଆ ଗଳିରେ ଯାଉଥିଲେ। ମଝି ମଝିରେ ଜାଗାଏ ଦୁଇ ଜାଗା ଅଟକି ଶେଷକୁ ସେମାନେ ଆହୁରି ଅଣଓସାରିଆ ଗଳି ନମ୍ବର ୮/୪ରେ ପ୍ରବେଶ କରିଥିଲେ।
ସେତେବେଳେ ଗଳି ରାସ୍ତାର ଅପରପାର୍ଶ୍ବରୁ ହରପ୍ରୀତ ଓ ତାଙ୍କ ଆତ୍ମୀୟ ଆସୁଥିଲେ। ଫଳରେ ଅଣଓସାରିଆ ରାସ୍ତାଟି ଅବରୋଧ ହୋଇଗଲା। କିଏ କାହାକୁ ରାସ୍ତା ଛାଡ଼ିବ? ଏ କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରଧର ଆରମ୍ଭ ହେଲା। ହଠାତ୍ ମହମଦ୍ ସମୀର ପିସ୍ତଲ କାଢ଼ି ଅତି ନିକଟରୁ ହରପ୍ରୀତ୍ ଗିଲ୍ ଓ ତାଙ୍କ ଆତ୍ମୀୟଙ୍କ ଉପରକୁ ଗୁଳି ଚଳାଇଲେ।
ଘଟଣାସ୍ଥଳରେ ହରପ୍ରୀତଙ୍କର ମୃତ୍ୟୁ ଘଟିଛି, କିନ୍ତୁ ତାଙ୍କର ଆହତ ଆତ୍ମୀୟ ଗୋବିନ୍ଦ ସିଂହ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।