ସୁରଟ: ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପବଜି ଖେଳ ପାଇଁ ଜଣେ ପୁଅ ଛୁରୀରେ ନିଜ ପିତାଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୧୮ ବର୍ଷର ପୁଅ ପବଜି ଖେଳିବାରେ ଅଭ୍ୟସ୍ତ ଥିଲା | ପବଜି ଖେଳିବା ପାଇଁ ତାକୁ ୫୦୦ ଟଙ୍କା ଦରକାର ଥିଲା | ଏହି ୫୦୦ଟଙ୍କା ଦେବାକୁ ବାପା ଯେତେବେଳେ ମନା କରିଦେଲେ ପୁଅ ଏଥିରେ ରାଗି ଯାଇ ପିତାଙ୍କ ପିଠିରେ ଛୁରୀ ଭୁଶି ଦେଇଥିଲା। ଏଥିରେ ପିତା ଗୁରୁତର ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କ ବଡ ପୁଅ କୌଣସି ପ୍ରକାରେ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ବାପାକୁ ଛୁରାମାଡ କରିଥିବା ଅଭିଯୋଗରେ ପୁଲିସ ହେପାଜତକୁ ପୁଅକୁ ନେଇଯାଇଛି। ଅଭିଯୁକ୍ତ ପୁଅର ନାମ ଉମେଶ ବୋଲି ଜଣାପଡ଼ିଛି। ପୁଲିସ ଉମେଶକୁ ପଚରାଉଚରା ବେଳେ ଏହା ଜଣାପଡିଛି ଯେ ମୋବାଇଲରେ ନେଟ୍ ପ୍ୟାକ୍ ଶେଷ ହୋଇଯିବାରୁ ସେ ଗତ ଦୁଇ ତିନି ଦିନ ଧରି ପବଜି ଖେଳି ପାରୁ ନଥିଲା।
ସେଥିପାଇଁ ସେ ତାର ବାପା ଭାଇଲାଲଭାଇଙ୍କୁ ୫୦୦ ଟଙ୍କା ମାଗିଥିଲା। କିନ୍ତୁ ଟଙ୍କା ଅଭାବରୁ ବାପା ପୁଅକୁ ୫୦୦ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଅଧିକ କହିବା ପରେ ସେ ଉମେଶକୁ କହିଥିଲେ ନିଜେ ରୋଜଗାର କର ଆଉ ସେହି ଟଙ୍କାରେ ଖେଳ। ଏଥିରେ ଉମେଶ କ୍ରୋଧିତ ହୋଇଯାଇଥିଲା। ପାଖରେ ଥିବା ଛୁରୀରେ ବାପା ଉପରକୁ ଆକ୍ରମଣ କରିଥିଲା।
ବାପାଙ୍କ ରକ୍ତସ୍ରାବ ଦେଖି ବଡ ପୁଅ ବାପାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଏଥିସହ ସାନଭାଇ ବିରୋଧରେ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଉମେଶଙ୍କୁ ଗିରଫ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।