୧୯ ଜୁଆଡ଼ି ଗିରଫ: ରାଜଧାନୀରେ ଠାବ ହେଲା ବଡ଼ ଜୁଆ ଆଡ଼ା

ଭୁବନେଶ୍ୱର: ଆଜି କ୍ୟୁଏଟି ଓ କ୍ୟାପିଟାଲ ଥାନା ପୁଲିସ ରାଜଧାନୀରେ ଏକ ବଡ଼ ଜୁଆ ଆଡ଼ା ଠାବ କରିଛନ୍ତି। ଅଶୋକନଗର ସ୍ଥିତ ରେଲ୍‌ ଭ୍ୟୁ ହୋଟେଲ୍‌ ନିକଟରେ ଚାଲିଥିବା ଏହି ଜୁଆ ଆଡ଼ା ଉପରେ ପୁଲିସ ମିଳିତ ଚଢ଼ଉ କରି ୧୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୬୦ ହଜାର ଟଙ୍କା, ୭ଟି ବାଇକ୍‌, ୨୩ଟି ମୋବାଇଲ୍‌ ଫୋନ୍‌ ଓ ତାସ୍‌ ପାଲି ଜବତ କରିଛି। ଧରା ପଡ଼ିଥିବା ଜୁଆଡ଼ିମାନେ ହେଲେ ଜଗତସିଂହପୁର ବିରିଡ଼ି ଅଞ୍ଚଳର ଅଜୟ ବେହେରା(୬୦), ବାଣୀବିହାର ଅଞ୍ଚଳର କୈଳାସ ଚନ୍ଦ୍ର ସାହୁ(୫୭), ବଡ଼ଗଡ଼ ଥାନା ଗୌତମନଗର ବସ୍ତିର ପ୍ରଶାନ୍ତ ରାୟ(୬୨), ବାପୁଜୀନଗର ଅଞ୍ଚଳର ଜିତୁ ପାତ୍ର(୩୮), ପୁରୀ ଟାଉନ୍‌ ଅଞ୍ଚଳର କୈଳାସ ଚନ୍ଦ୍ର ସେନାପତି(୫୮), ୟୁନିଟ-୪ ଶାସ୍ତ୍ରୀନଗର ଅଞ୍ଚଳର ସିଏଚ୍‌ ରାଓ(୨୯), ସୋନପୁର ଅଞ୍ଚଳର ଅନୀଲ ସାହୁ(୩୦), କାକଟପୁର ଅଞ୍ଚଳର ପବିତ୍ର ମୋହନ ବିଶ୍ୱାଳ(୩୮), କଟକ ନିଆଳି ଅଞ୍ଚଳର ଶଶିକାନ୍ତ ଦାସ(୩୫), ଅଶୋକନଗର ଅଞ୍ଚଳର ସୁମନ୍ତ ରାଉଳ(୨୪), ମଧୁସୂଦନଗରର କେ ହନୁମାନ(୩୩), ୟୁନିଟ-୨ ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ(୩୭), ଖଣ୍ଡଗିରି ଜାଗମରା ଅଞ୍ଚଳର ରସାନନ୍ଦ ମହାରଣା(୩୪), ସତ୍ୟନଗର ଅଞ୍ଚଳର ଏ ଭୀମ ରେଡ୍ଡି(୫୦), କଳ୍ପନା ଅଞ୍ଚଳର ସୁଗ୍ରୀବ ନାୟକ(୩୦), ମଇଁଷାଖାଲ ବସ୍ତିର ରଞ୍ଜନ ପ୍ରଧାନ(୪୨), ଜଗତସିଂପୁର ଅଞ୍ଜଳର ଜ୍ଞାନରଞ୍ଜନ ସାହୁ(୩୬), ଆସ୍କା ଅଞ୍ଚଳର ତାରିଣୀ ପୃଷ୍ଟି(୨୦) ଏବଂ ଡେଲ୍‌ଟା ପାଇକନଗର ଅଞ୍ଚଳର ନାରାୟଣ ରାଉତ ଓରଫ ମିଟୁ (୨୮)।

ପୁଲିସ ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଅଶୋକନଗର ହୋଟେଲ୍‌ ରେଲ୍‌ ଭ୍ୟୁ ନିକଟରେ ଥିବା ଏକ ଘରେ ଜୁଆ ଆଡ଼ା ଚାଲିଥିବା ନେଇ କ୍ୟୁଏଟି ଖବର ପାଇଥିଲା। କ୍ୟୁଏଟି ତୁରନ୍ତ ଘଟଣା ବିଷୟରେ କ୍ୟାପିଟାଲ ଥାନା ପୁଲିସକୁ ଜଣାଇଥିଲା। ଏହାପରେ ଯୋଜନା ମୁତାବକ ପୁଲିସର ୨ଟି ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ସେଠାରେ ଥିବା କେତେଜଣ ଜୁଆଡ଼ି ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେଠାରୁ ମୁଖ୍ୟ ଅଭିଯୁକ୍ତ ମିଟୁ ସମେତ ୧୯ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଜୁଆଡ଼ିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏବେ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର