ଚଳନ୍ତା କାର୍‌ରେ ୧୯ ବର୍ଷୀୟ ମଡେଲ୍‌ଙ୍କ ସହିତ ଗଣଦୁଷ୍କର୍ମ; ୪ ଅଟକ

କୋଚି: ଗୁରୁବାର ବିଳମ୍ବିତ ରାତ୍ରରେ କେରଳର କୋଚିରେ ଗୋଟାଏ ଚଳନ୍ତା କାର୍‌ରେ ଜଣେ ୧୯ ବର୍ଷୀୟ ମଡେଲ୍‌ଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଲିପ୍ତ ଥିବା ଅଭିଯୋଗରେ ଏର୍ଣ୍ଣାକୁଲମ୍‌ ପୁଲିସ ୩ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ହାଜତକୁ ନେଇଛି।

ପ୍ରାପ୍ତ ରିପୋର୍ଟ ଅନୁସାରେ, କୋଚିନ୍‌ ସିପ୍‌ୟାର୍ଡ ନିକଟରେ ଥିବା ଗୋଟାଏ ପବ୍‌କୁ ଯାଇଥିବା ଉକ୍ତ ମଡେଲ୍‌ ନିଶାସକ୍ତା ଅବସ୍ଥାରେ ଥିଲେ। କାର୍‌ରେ ନେଇ କାକ୍ମନଡ଼ସ୍ଥିତ ବାସଭବନରେ ଛାଡ଼ି ଦେବେ ବୋଲି ଅଭିଯୁକ୍ତମାନେ ତାଙ୍କୁ କହିଥିଲେ। କିନ୍ତୁ, ଘରକୁ ନେବା ବାଟରେ ତାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମଡେଲ୍‌ଙ୍କୁ ତାଙ୍କ ବାସଭବନ ନିକଟରେ ଛାଡ଼ିବା ପୂର୍ବରୁ ଅଭିଯୁକ୍ତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହର ସାରା କାର୍‌ ଚଳାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ସମ୍ପ୍ରତି ପୀଡ଼ିତା କାଲାମାସେରି ମେଡିକାଲ୍‌ କଲେଜ୍‌ରେ ଚିକିତ୍ସାଧୀନା ଅଛନ୍ତି। ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ସେ ଆହତ ହୋଇଛନ୍ତି ବୋଲି ଡାକ୍ତରୀ ପ୍ରମାଣରୁ ଜଣାପଡୁଛି। ଅପରାଧ କରିବା ପରେ ସେ ଲୋକମାନେ ପୀଡ଼ିତାଙ୍କୁ କାକ୍କନାଡ଼ରେ ଛାଡ଼ି ଦେଇଥିଲେ।

Image Courtesy of The Siasar Daily

ଶୁକ୍ରବାର ସକାଳେ ଉକ୍ତ ମଡେଲ୍‌ଙ୍କ ରୁମ୍‌ମେଟ୍‌ ତାଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେ ଡାକ୍ତରଖାନା ଏ ସଂକ୍ରାନ୍ତରେ ପୁଲିସକୁ ରିପୋର୍ଟ କରିବା ପରେ ମାମଲା ଲୋକଲୋଚନକୁ ଆସିଛି।

ଏହି ମାମଲାରେ ଧାରା ‘ଆଇପିସି’ ୩୭୦ ଓ ୩୭୬ ଅନୁଯାୟୀ ‘ଏଫ୍‌ଆଇଆର୍’ ରେଜିଷ୍ଟ୍ରି କରାଯାଇଛି। କିନ୍ତୁ, ଅଭିଯୁକ୍ତମାନଙ୍କୁ ଏଯାବତ୍‌ ଗିରଫ କରାଯାଇ ନାହିଁ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, କୋଚିରେ ଝିଅଟି ସହିତ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ବ୍ୟଥାଦାୟକ। ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର