ଏତେ ନିର୍ଦ୍ଦୟ ବି ହୋଇପାରେ ମା’, ଶିଶୁର କାନ୍ଦରେ ବିରକ୍ତ ହୋଇ ପାଣିକୁଣ୍ଡରେ ବୁଡାଇ ସବୁଦିନ ପାଇଁ ଚୁପ୍ କରି ଦେଲା ମା’
ଏରିଜୋନା: ମା’ ଓ ସନ୍ତାନର ସମ୍ପର୍କ ଖୁବ୍ ସୁନ୍ଦର ସମ୍ପର୍କ। ଏହି ସମ୍ପର୍କରେ ଅନାବିଳ ସ୍ନେହ ଓ ମମତା ଭରି ରହିଥାଏ। କିନ୍ତୁ ଆମେରିକାରେ ଜଣେ ମା’ ଏମିତି ଏକ କାଣ୍ଡ ଘଟାଇଛି ଯାହାକୁ ଶୁଣି ଆପଣ କହିବେ ଏତେ ନିର୍ଦ୍ଦୟ ବି ହୋଇପାରେ ମା’। ଆମେରିକାରେ ବସବାସ କରୁଥିବା ୧୯ବର୍ଷର ମା’ ନିଜର ଚାରିଦିନ ଦିନର ଶିଶୁକୁ ଚୁପ୍ କରିବା ପାଇଁ ପାଣିକୁଣ୍ଡରେ ବୁଡାଇ ହତ୍ୟା କରିଥିବାର ଖବର ମିଳିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପାଣିକୁଣ୍ଡରୁ ଶିଶୁର ମୃତଦେହକୁ ଉଦ୍ଧାର କରିଛି। ହତ୍ୟାକାରୀ ମା’ର ନାମ ଜେନା ଫେଲବେଲ ବୋଲି ଜଣାପଡ଼ିଛି। ଯିଏକି ନିଜର ପ୍ରଥମ ସନ୍ତାନକୁ ପାଣିକୁଣ୍ଡରେ ବୁଡାଇ ହତ୍ୟା କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଜେନା ଫେଲବେଲ ଶିଶୁକୁ କିପରି ହତ୍ୟା କରାଯାଏ ସେନେଇ ଇଣ୍ଟରନେଟରେ ୧୦୦ଟି ବିଭିନ୍ନ ଉପାୟ ଖୋଜି ଥିବା ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଥିଲା। ଶେଷରେ ଶିଶୁକୁ ପାଣିକୁଣ୍ଡରେ ବୁଡାଇ ମା’ ହତ୍ୟା କରିଥିଲା। ମହିଳାଙ୍କ ମୋବାଇଲ୍ ଓ ଲାପଟପ୍ ପୁଲିସ ଜବତ କରି ନେଇଛି।
ଶିଶୁକୁ ହତ୍ୟା କରିବା ପରେ ମହିଳା ପ୍ରଥମେ ପୁଲିସକୁ ଫୋନ୍ କରି ତାଙ୍କ ଶିଶୁକୁ କେହି ଜଣେ ଅପହରଣ କରି ନେଇଥିବା କଥା କହିଥିଲା। ମହିଳାଙ୍କ କଥାଶୁଣି ପୁଲିସ ଯାଞ୍ଚ ଆରମ୍ଭ କରିବା ପରେ ଘର ଭିତରେ ଥିବା ପାଣିକୁଣ୍ଡରୁ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ।