ଅନ୍‌ଲାଇନ୍‌ ଠକେଇ: ଆକାଉଣ୍ଟରୁ ନେଇଗଲେ ୧୯ ହଜାର, ମାମଲା ରୁଜୁ କରୁନି ପୁଲିସ

ଭୁବନେଶ୍ୱର: ଜଣେ ମହିଳାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଠକେଇ ଘଟଣାକୁ ୩ ଦିନ ବିତି ଯାଇଥିଲେ ହେଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଦ୍ୟାବଧି ଏ ସଂକ୍ରାନ୍ତରେ ମାମଲା ରୁଜୁ କରିନାହିଁ। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣଙ୍କ ହେଲେ, ଭୀମଟାଙ୍ଗୀର ବିଦୁଲତା ପ୍ରଧାନ। ତାଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ଅପରାହ୍‌ଣରେ ତାଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା। ଜେଣ ଯୁବକ ସପେଟୁ କହିଥିଲେ ଯେ ଆପଣଙ୍କ ଏଟିଏମ୍‌ କାର୍ଡଟି ଖୁବ୍‌ଶୀଘ୍ୟ ବ୍ଲକ ହୋଇଯିବ। ତେଣୁ ଏଟିଏମ୍‌କୁ ଚାଲୁ ରାଖିବା ପାଇଁ କେତେକ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। ଏହାକୁ ବିଶ୍ୱାସ କରି ଯୁବକଜଣଙ୍କ ଯାହା ଯାହା ନିର୍ଦ୍ଦେଶ ଦେଲା, ସେହି ଅନୁସାରେ ବିଦୁଲତା କରି ଚାଲିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଗାୟବ ହୋଇଯାଇଥିଲା। ଏହି ଟଙ୍କାରେ ସପିଂ କରାଯାଇଥିବା ତାଙ୍କ ମୋବାଇଲ ଫୋନ୍‌କୁ ‌ମେସେଜ୍‌ ଆସିଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିପାରି ସାଙ୍ଗେ ସାଙ୍ଗେ ଏଟିଏମ୍‌ ବ୍ଲକ କରି ଦେଇଥିଲେ। ପରେ ଏନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଯେଉଁ ନମ୍ବରରୁ ଫୋନ୍‌ ଆସିଥିଲା, ଯେଉଁ ଜାଗାରେ ଏହି ଟଙ୍କା ଖର୍ଚ୍ଚ ହୋଇଥିଲା, ସେ ସମସ୍ତ ବିବରଣୀ ସହ ସେ ଥାନାରେ ଏତଲା ଦେଇଥିଲେ। କିନ୍ତୁ ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ଶ୍ରୀଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରିନାହିଁ। ଅପରପକ୍ଷେ ଏତଲା କପି ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହୋଇନଥିବାରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର