୧ କ୍ୱିଣ୍ଟାଲ୍‌ ଗଞ୍ଜେଇ ଭର୍ତି କାର୍‌ ଜବତ

ଖଣ୍ଡଗିରି: ଗତକାଲି ରାତିରେ କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସର ମିଳିତ ଅପରେସନ୍‌ ଯୋଗୁଁ ଧରାପଡ଼ିଥିବା ଜଣେ ଗଞ୍ଜେଇ ଚାଲାଣକାରୀକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଲା କଟକ ଜଗତପୁର ବହୁଗ୍ରାମର ଅଭିରାମ ଦାସ(୨୮)। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିରାମକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜବତ ଗଞ୍ଜେଇର ଓଜନ ୧କ୍ୱିଣ୍ଟାଲ ୧୦ କେଜି ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ଗତକାଲି ରାତି ପ୍ରାୟ ୧୦ଟାବେଳେ ଅଭିରାମ କନ୍ଧମାଳରୁ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ୟୁଏଟି ଅଧିକାରୀ ଦୀପକ ଲେଙ୍କା ତୁରନ୍ତ ତମାଣ୍ଡୋ ଥାନା ଆଇଆଇସି ଅତନୁ ରାଉତଙ୍କୁ ଜଣାଇଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଅଭିରାମ କାର୍‌(ଓଆର୍‌୦୨ ଏଏସ୍‌-୯୧୯୫) ନେଇ ଆସୁଥିବାବେଳେ ପୁଲିସ ଟିମ୍‌ ଗୋହିରା ଛକରୁ ତାକୁ ପିଛା କରିଥିଲା। ପୁଲିସ ପିଛା କରୁଥିବା ଦେଖି ଅଭିରାମ ସିଧାସଳଖ ଜାତୀୟ ରାଜପଥରେ ନ ଯାଇ କଳିଙ୍ଗବିହାର ଭିତରକୁ ପଶି ଯାଇଥିଲା। କିନ୍ତୁ କ୍ୟୁଏଟି ଓ ତମାଣ୍ଡୋ ଥାନା ଟିମ୍‌ ତାକୁ ପିଛା କରିଥିଲା। ବେଶ୍‌ କିଛି ସମୟ ପରେ କାର୍‌ଟି କଳିଙ୍ଗବିହାର କେ-୫ ଏଚ୍‌ଆଇଜି-୨୧ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ସେଠାରୁ ଅଭିରାମକୁ ଗିରଫ କରିବା ସହ କାର୍‌କୁ ଜବତ କରିଥିଲା।

ଅଭିଯୁକ୍ତ ଅଭିରାମ ଜଣେ ଇଂଜିନିୟର

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ଅଭିରାମ ଜଣେ ଇଂଜିନିୟର। ଏକ ଘରୋଇ କମ୍ପାନିରେ କାମ କରୁଥିବା ଅଭିରାମ ମାସିକ ୨୨ ହଜାର ଟଙ୍କା ଦରମା ପାଉଥିବା ଜଣାପଡ଼ିଛି। କିନ୍ତୁ ଗତ ପ୍ରାୟ ୨ ବର୍ଷ ହେବ ସେ ଏଭଳି ଚୋରା କାରବାରରେ ଲିପ୍ତ ଥିବା ପୁଲିସ ନିକଟରେ ମାନିଯାଇଛି। ଦୁଇ ଦୁଇଟି ଭଉଣୀର ବାହାଘର ବୋଝ ଓ କ୍ୟାନସର ପୀଡ଼ିତ ବାପାଙ୍କ ଚିକିତ୍ସା ପାଇଁ ସେ ଏଭଳି ବେଆଇନ ପଥରେ ପାଦ ଦେଇଥିବା ପୁଲିସକୁ ସୂଚନା ଦେଇଛି। ଗୋଟିଏ ଥର ମାଲ୍‌ ଚାଲାଣ କଲେ, ତାକୁ ଏକ ଲକ୍ଷ ଟଙ୍କା ମିଳି ଯାଉଥିଲା। ତେଣୁ ଏହି ବେପାର କରି ସେ ଭଉଣୀମାନଙ୍କ ବାହାଘର କରି ସାରିଛି ଓ ବାପାଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଉଥିଲା ବୋଲି କହିଛି। ଏଭଳି ବେପାର ପାଇଁ ତା ସୁନ୍ଦର ଭବିଷ୍ୟତ ନଷ୍ଟ ହେବ ବୋଲି ଜାଣିଥିଲେ ବି ସେ ପରିସ୍ଥିତିରେ ପଡ଼ି ଏହି କଣ୍ଟକିତ ବାଟରେ ପାଦ ଦେଇଥିଲା ବୋଲି କହିଛି। ଭଉଣୀ ଦୁହିଁଁଙ୍କର ବାହାଘର ପରେ ଏହି କାମ ଛାଡ଼ି ଦେବ ବୋଲି ସେ ମନେ ମନେ ବହୁଥର ସ୍ଥିର କରିଥିଲା। କିନ୍ତୁ ଟଙ୍କାର ମୋହ ତାକୁ ଟାଣି ଧରିଥିଲା। ଆଜି ଛାଡ଼ିବ କାଲି ଛାଡ଼ିବ ବୋଲି ଭାବି ଭାବି କାମ ଛାଡ଼ି ପାରିନଥିଲା। ଶେଷରେ ପୁଲିସ ହାତରେ ଧରାପଡ଼ିଯାଇଥିଲା। ରାଜଧାନୀ ସମତେ କଟକ, ପୁରୀ, ବାଲେଶ୍ୱର ଆଦି ଅଞ୍ଚଳରେ କାୟା ବିସ୍ତାର କରିଥିବା ମାଫିଆମାନେ ଅଭିରାମକୁ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର