୨ ଗିରଫ, ୩୦ ମୋବାଇଲ୍‌ ଫୋନ୍‌ ଜବତ: ଧରାପଡ଼ିଲା ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ୱର: କ୍ୟାପିଟାଲ ଥାନା ପୁଲିସ ଦୁଇ ଜଣିଆ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ପୁଲିସ ସେମାନଙ୍କ ନିକଟରୁ ୩୦ଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଚିତ୍ତରଞ୍ଜନ ଦଳେଇ(୨୪) ଓ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅଜିତ ନାୟକ(୨୮)। ଉଭୟ ଏଠାରେ କ୍ୟାପିଟାଲ ହସ୍ପିଟାଲ ନିକଟ ତାରିଣୀ ବସ୍ତିରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ ବିଶ୍ୱନାଥ ବେହେରା ନାମକ ଜଣେ ଯୁବକ ଆଇଜି ପାର୍କ ନିକଟରେ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌କୁ ଝାମ୍ପିନେଇଥିଲେ। ଏନେଇ ବିଶ୍ୱନାଥ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ବିଶ୍ୱନାଥଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକିଂ କରିଥିଲା। ତେବେ ସୋମବାର ରାତିରେ ବିଶ୍ୱନାଥଙ୍କ ମୋବାଇଲ୍‌ ତାରିଣୀ ବସ୍ତି ଅଞ୍ଚଳରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍‌ ତାରିଣୀ ବସ୍ତିରେ ଚଢ଼ାଉ କରି ଚିତ୍ତରଞ୍ଜନ ଠାରୁ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ତାକୁ ଗିରଫ କରିଥିଲା। ପୁଲିସ ଚିତ୍ତ ରଞ୍ଜନକୁ ଥାନାକୁ ଆଣି ପଚରା ଉଚରା ବେଳେ ତା ସହ ଅଜିତ ସମ୍ପୃକ୍ତ ଥିବା କହିଥିଲା। ଆଉ ସେମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ କରିଥିବା ମାନିଥିଲେ। ପୁଲିସ ଚିତ୍ତରଞ୍ଜନ ଠାରୁ ଅଜିତର ଠିକଣା ପାଇଥିଲା। ଏହାପରେ ପୁଲିସ ବୋଲଗଡ଼ ସ୍ଥିତ ଅଜିତ୍‌ ଘରେ ଚଢ଼ାଉ କରି ସେଠାରୁ ୨୯ଟି ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଅଜିତକୁ ଗିରଫ କରିଥିଲା। ଅଜିତ୍‌କୁ ଥାନାକୁ ଆଣିବା ପରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର