ବାଲେଶ୍ୱର: ବାଲେଶ୍ୱର ସହରର କଂଗ୍ରେସ ଗଳିରେ ଭସାଣି ବେଳେ ଗତକାଲି ଦୁଇଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣାରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଗୋଟିଏ ତେଲେଙ୍ଗା କଟୁରି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଂଗ୍ରେସ ଲେନ୍ର ଅନନ୍ତ କାହାଳିଆ(୪୦) ଓ ଓଲନ୍ଦାଜ ସାହିର ମଙ୍ଗଳ ବେହେରା(୧୯)। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ମାମଲାରେ ଆହୁରି ୭ରୁ ୮ଜଣ ଫେରାର ଅଛନ୍ତି। ଏନେଇ ଟାଉନ୍ ଥାନାରେ ୨୨୮/୧୭ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ର କହିବା ଅନୁଯାୟୀ, ବାରବାଟୀ ଓ କଂଗ୍ରେସ୍ ଲେନ୍ ସୁଇପରଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ଗତକାଲି ବାରବାଟୀ ଓଲନ୍ଦାଜ ସାହି ମେଢ଼ ଭସାଣି ପାଇଁ ପ୍ରୋସେସନ୍ରେ ଯାଉଥିଲା। ମେଢ଼ କଂଗ୍ରେସ ଗଳି ଅତିକ୍ରମ କରୁଥିବା ବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ଓଲନ୍ଦାଜ ସାହି ଦୁର୍ଗାପୂଜା କମିଟିର ସଦସ୍ୟଙ୍କ ପାଟିତୁଣ୍ଡ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ଓ ଢେଲାପଥର ମାଡ଼ ହୋଇଥିଲା। ଫଳରେ ଓଲନ୍ଦାଜ ସାହିର ସୋମନାଥ ବେହେରା ଓ ଅନୀଲ ବେହେରା ନାମକ ଦୁଇ ଯୁବକ ଗୁରୁତର ହୋଇଥିଲେ। ଦୁହିଁଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟପକ୍ଷ ସେଠାରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ। ଖବର ପାଇ ଭସାଣି ଡ୍ୟୁଟିରେ ଥିବା ରୁପ୍ସା ଆଇଆଇସି ଅଶୋକ ନାୟକ ଘଟଣା ସ୍ଥଳରେ ପହଞ୍ଚିବାରୁ ଆକ୍ରମଣକାରୀମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ଶ୍ରୀ ନାୟକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଥିଲେ। ସେମାନଙ୍କ ମଧ୍ୟରୁ ଅନନ୍ତ କାହାଳିଆକୁ ସହଦେବଖୁଣ୍ଟା ଥାନାକୁ ନିଆଯାଇଥିବା ବେଳେ ମଙ୍ଗଳ ବେହେରାକୁ ଟାଉନ୍ ଥାନାକୁ ନିଆଯାଇଥିଲା। ଏନେଇ ସୋମନାଥଙ୍କ ମା’ କସ୍ତୁରୀ ବେହେରା ଟାଉନ୍ ଥାନାରେ ଏତଲା ଦେଇଥିଲେ। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ଚଳାଇଥିବା ଜଣାଇଛି।