କୁକୁର ଫାର୍ମରେ ନାବାଳକଙ୍କୁ ନିର୍ଯାତନା; ୨ ଗିରଫ

୫ ବର୍ଷ ତଳେ ଷ୍ଟେସନରୁ ଅପହରଣ କରି ନେଇଥିଲେ, କୁକୁର ଫାର୍ମରେ ରଖି କ୍ରୀତଦାସ ଭଳି ଖଟାଉଥିଲେ

ରାଉରକେଲା: ବାପା ମାଆଙ୍କର ମୃତ୍ୟୁ ପରେ ନାବାଳକ ଜଣକ ଭିଣୋଇଙ୍କ ପାଖରେ ରହି ରାଉରକେଲା ଷ୍ଟେସନରେ ତାଙ୍କ ପାଣି ବିକ୍ରି ବ୍ୟବସାୟରେ ସାହାଯ୍ୟ କରୁଥିଲେ। ପାଞ୍ଚବର୍ଷ ତଳେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ। ସେହିଦିନଠାରୁ ନାବାଳକଙ୍କୁ ସେମାନେ ଏଇ ରାଉରକେଲାରେ ଥିବା ନିଜ କୁକୁର ଫାର୍ମରେ କ୍ରୀତଦାସ ଭଳି ଖଟାଉଥିଲେ। କାମରେ ଅବହେଳା କଲେ ସେମାନେ ନାବାଳକଙ୍କୁ ଲୁହା ରଡ୍ ଓ ଗରମ ତାୱାରେ ଅତି ନୃଶଂସ ଭାବେ ଚେଙ୍କ ଦେଉଥିଲେ। ପାଞ୍ଚବର୍ଷ ତଳେ ରାଉରକେଲା ଷ୍ଟେସନରୁ ଅପହୃତ ଏହି ନାବାଳକଙ୍କୁ ଗତକାଲି ସେକ୍ଟର-୧ ବି ବ୍ଳକ ସ୍ଥିତ ଏକ ବିଦେଶୀ କୁକୁର ଫାର୍ମରୁ ଉଦ୍ଧାର କରା ଯାଇଛି।

ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ସେକ୍ଟର-୩ ପୁଲିସ ଚଢ଼ଉ କରି ଉକ୍ତ ଫାର୍ମ ଭିତରୁ ନାବାଳକଙ୍କୁ ଉଦ୍ଧାର କରିଥିଲା। ନାବାଳକଙ୍କୁ ଅପହରଣ କରି ନେଇ ଫାର୍ମ ଭିତରେ ବନ୍ଦୀ କରି ରଖିବା ସହିତ ଅମାନୁଷିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୁଲିସ ଜଣେ ଇଞ୍ଜିନିୟରିଂ ଡିଗ୍ରିଧାରୀ ଯୁବକ ଓ ତା’ର ସହଯୋଗୀକୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ବକେଶ୍ବର ଗାଁର ଚିରଞ୍ଜୀବ ଚକ୍ରବର୍ତ୍ତୀ (୩୪) ଓ ତା’ର ସହଯୋଗୀ କୋ‌ଏଲନଗର ଏ-୨୭୫ରେ ରହୁଥିବା ପ୍ରଭାତ ପଣ୍ଡା (୨୬)। ଆଜି ପୁଲିସ ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି। ପରେ ପୁଲିସ ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରିଥିଲେ। ସିଡବ୍ଲ୍ୟୁସି ରାଉରକେଲା ସରକାରୀ ହସ୍ପିଟାଲରେ ନାବାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଚାଇଲ୍‌ଡ ଲାଇନ ‘ଦିଶା’କୁ ପଠାଇ ଦେଇଛନ୍ତି। ପୁଲିସ ଫାର୍ମ ଭିତରୁ ନାବାଳକଙ୍କୁ ଚେଙ୍କ ଦେଉଥିବା ଲୁହା ରଡ୍‌, ରୁଟି ସେକା ତାୱା ଜବତ କରିଛି। ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଗିରଫ ଦୁଇ ଅଭିଯୁକ୍ତ ପୂର୍ବରୁ ଏକ ମୋବାଇଲ ଦୋକାନ କରିଥିଲେ। କ୍ଷତି ହେବାରୁ ମୋବାଇଲ ବ୍ୟବସାୟ ଛାଡ଼ି ବିଦେଶୀ କୁକୁର ଫାର୍ମ କରିଥିଲେ। ଏଥିପାଇଁ ସେମାନେ ସେକ୍ଟର-୧ ବି -୪୯ ଆର୍‌ଏସ୍‌ପି କ୍ବାର୍ଟର୍ସକୁ ଭଡା ସୂତ୍ରରେ ନେଇଥିଲେ। ସେଠାରେ ଛୋଟବଡ଼ ବିଭିନ୍ନ ପ୍ରଜାତିର ମୋଟ ୬୫ଟି କୁକୁର ରଖିଥିଲେ। ସେହି କୁକୁର ଛୁଆଗୁଡିକୁ ୧୫ରୁ ୨୦ ହଜାର ଟଙ୍କା ଦରରେ ବିକ୍ରି କରୁଥିଲେ। ଷ୍ଟେସନରୁ ଅପହରଣ କରି ନେଇ ଆସିଥିବା ଏହି ନାବାଳକଙ୍କୁ ସେମାନେ ପ୍ରଥମେ ଘର କାମରେ ନିୟୋଜିତ କରିଥିଲେ। ପରେ ସେକ୍ଟର-୧ରେ ଥିବା ନିଜ କୁକୁର ଫାର୍ମକୁ ନେଇ ଆସିଥିଲେ। ସେଠାରେ କୁକୁରଙ୍କ ସେବା କାମରେ ତାଙ୍କୁ ଲଗାଇଥିଲେ। ପଡ଼ୋଶୀମାନେ ଜାଣିବା ଭୟରେ ନାବାଳକଙ୍କୁ ଫାର୍ମ ଭିତରେ ଏକ ପ୍ରକାର ବନ୍ଦୀ କରି ରଖା ଯାଇଥିଲା। କାମରେ ଅବହେଳା କଲେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଲୁହା ରଡ ଓ ରୁଟି ସେକା ତାୱାରେ ଚେଙ୍କ ଦେଉଥିଲେ। ଚେଙ୍କରେ ନାବାଳକଙ୍କର ପିଚା ଓ ଜଂଘ ପୋଡି ଯାଇ ଘା’ ହୋଇ ଯାଇଥିଲେ ହେଁ ସେମାନେ ଚିକିତ୍ସା କରୁ ନ ଥିଲେ। କଷ୍ଟ ହେବାରୁ ନାବାଳକ ଦୁଇ ଫାର୍ମ ମାଲିକଙ୍କୁ ଚିକିତ୍ସା ପାଇଁ କହିଲେ ସେମାନେ ତା’କୁ ମାଡ଼ ମାରୁଥିଲେ ବୋଲି ରାଉରକେଲା ଏସ୍‌ପି ଡ. ସାର୍ଥକ ଷଡଙ୍ଗୀ କହିଛନ୍ତି। ପୁଲିସ ଦ୍ବାରା ଉଦ୍ଧାର ହେବାପରେ ନାବାଳକଙ୍କ ଭିଣୋଇ ଅସ୍‌ରଫ ଅଲ୍ଲୀ ତାଙ୍କୁ ଚିହ୍ନିଥିଲେ ଏବଂ ସେକ୍ଟର-୩ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ସେକ୍ଟର ଅଞ୍ଚଳରେ ଆର୍‌ଏସ୍‌ପି କ୍ବାର୍ଟର୍ସରେ କୁକୁର ଫାର୍ମ ଚାଲି ଆସୁଥିଲେ ସୁଦ୍ଧା ଆର୍‌ଏସ୍‌ପି କର୍ତ୍ତୃପକ୍ଷ କିପରି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର