ଧଉଳି: ସରଦେଇପୁର ଗ୍ରାମର ବଂଶୀଧର କାଳିଆ(୭୦) ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଭାଇଙ୍କୁ ଧଉଳି ଥାନା ପୁଲିସ ଆଜି କୋର୍ଟଚାଲାଣ କରିଛି। ସେମାନେ ହେଲେ, କୁମାରଡିହ ଗ୍ରାମର ପ୍ରଦୀପ କୁମାର ପଣ୍ଡା ଓରଫ ଡୁଲା(୨୯) ଓ ତାଙ୍କ ବଡ଼ଭାଇ ଦିଲ୍ଲୀପ କୁମାର ପଣ୍ଡା (୩୫)। ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରି ପାରିନାହିଁ।
ଅପରପକ୍ଷେ ଆଜି ସମଗ୍ର ଘଟଣାର ଡେମୋ ଅଭିଯୁକ୍ତଦ୍ବୟ ପୁଲିସ ସାମ୍ନାରେ ପ୍ରଦର୍ଶନ କରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଧଉଳି ଥାନା ସମ୍ମୁଖରେ ଡୁଲାଙ୍କର ଏକ ପାନ ଦୋକାନ ରହିଛି। ବଂଶୀଧର ବେଳେବେଳେ ସେହି ଦୋକାନକୁ ଯାଆନ୍ତି। ଉଭୟ ଥଟ୍ଟାମଜା ହେବା ସହ ପରସ୍ପରକୁ ଗାଳିମନ୍ଦ ମଧ୍ୟ କରିଥାନ୍ତି। ଘଟଣା ଘଟିବା ପୂର୍ବ ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ଆଗରେ ଠିଆ ହୋଇ ବଂଶୀଧର ଏପରି ନ କରିବାକୁ ଡୁଲା ଚେତାବନୀ ଦେବା ସହ ତାଙ୍କ ଝୁଲା ବ୍ୟାଗ୍ରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଜଣେ ପୁଲିସ କର୍ମଚାରୀ ଡୁଲାକୁ ଏପରି କରିବାକୁ ବାରଣ କରିଥିଲେ। ଠିକ୍ ଏହାର ପରଦିନ ଅର୍ଥାତ୍ ୧୮ ତାରିଖ ରାତିରେ ବଂଶୀଧର ରଜ ମହୋତ୍ସବ ଦେଖିବାକୁ ଯାଇଥିଲେ। ସେ ବଜାରରେ ବୁଲାବୁଲି କରୁଥିବା ବେଳେ ପ୍ରଚୁର ମଦ ପିଇ ଡୁଲା ଓ ତା’ର କିଛି ସହଯୋଗୀ ବହିରଙ୍ଗେଶ୍ବର ବଜାରରେ ଆତଙ୍କ ସୃଷ୍ଟି କରିଥିଲେ। ବଂଶୀଧରଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସଂପୃକ୍ତ ଯୁବକମାନେ ଏକ କାଠ ଫାଳିଆରେ ବଂଶୀଧରଙ୍କୁ ନିସ୍ତୁକ ପିଟିଥିଲେ। ପରେ କଟକ ବଡ଼ ମେଡିକାଲକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ପୁଲିସ୍ ହତ୍ୟାକାଣ୍ଡର ପ୍ରକୃତ ସତ୍ୟତା ଜାଣିବା ପାଇଁ ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟକୁ ଅପେକ୍ଷା କରିଛି। ଖୁବ୍ଶୀଘ୍ର ଟିଆଇ ପରେଡ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।