ଧରାପଡ଼ିଲେ ୨ ଛତିଶିଗଡ଼ ଲୁଟେରା

ଗହଣା ଦୋକାନରୁ ଲୁଟ୍‌ ଉଦ୍ୟମ ଫେଲ୍‌

ଖଣ୍ଡଗିରି: ବୁଧବାର  ଯାଁଳା ବଜାରସ୍ଥିତ ଏକ ଗହଣା ଦୋକାନରୁ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୨ ଜଣ ଛତିଶିଗଡ଼ୀ ଲୁଟେରା ଧରା ପଡ଼ି ଯାଇଛନ୍ତି। କିନ୍ତୁ ବାଇକ୍‌ ଧରି ରାସ୍ତା ଉପରେ ଅପେକ୍ଷା କରିଥିବା ଲୁଟେରା ଖସି ପଳାଇବାରେ ସକ୍ଷମ ହୋଇଛି। ଥାନାରେ ଅଟକ ଥିବା ୨ ଲୁଟେରା ହେଲେ ଗୁଲାମ୍‌ ହୋସେନ୍‌(୨୧) ଓ ସଲ୍‌ମନ୍‌ ହୋସେନ୍‌(୨୪)। ଏମାନେ ନିଜକୁ କେତେବେଳେ ମଧ୍ୟପ୍ରଦେଶର ତ କେତେବେଳେ ଛତିଶଗଡ଼ର ବୋଲି କହୁଛନ୍ତି। ପୁଲିସ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଛି।

ସୂଚନାନୁସାରେ ଯାଁଳା ବଜାର ସ୍ୱାତୀ ଜୁଏଲର୍ସର ମାଲିକ ଲୋକନାଥ ସୁବୁଦ୍ଧି ଆଜି ୧୧ଟାବେଳେ ଦୋକାନ ଖୋଲି ପୂଜା କରୁଥିଲେ। ଏହି ସମୟରେ ଗୁଲାମ୍‌ ଓ ସଲ୍‌ମନ ଦୋକାନ ଭିତରକୁ ପଶି ଆସି ଗହଣା ଦେଖାଇବା ପାଇଁ କହିଥିଲେ। କିନ୍ତୁ ଲୋକନାଥ ଧୂପକାଠି ଧରି ବାହାରକୁ ଯିବାକୁ ବସିଥିବାବେଳେ ଜଣେ ଦୁର୍ବୃତ୍ତ ହଠାତ୍‌ ଏକ ବଡ଼ ଛୁରି ଦେଖାଇ ତାଙ୍କ ବାଟ ଓଗାଳିଥିଲା ଓ ଅନ୍ୟ ଜଣେ ଲୋକନାଥଙ୍କ ବେକରେ ଛୁରି ଲଗାଇ ଗହଣା ବାହାର କର ବୋଲି ଧମକ ଦେଇଥିଲା। କିନ୍ତୁ ଲୋକନାଥ କାଳବିଳମ୍ବ ନ କରି ସେମାନଙ୍କୁ ଏକ ଶକ୍ତ ଧକ୍କା ଦେଇ ଦୋକାନ ବାହାରକୁ ଡିଅାଁ ମାରିଥିଲେ ଓ ସଟର୍‌ ଟାଣି ଦେଇଥିଲେ। ଫଳରେ ଦୁଇ ଦୁର୍ବୃତ୍ତ ଭିତରେ ରହି ଯାଇଥିଲେ। ଲୋକନାଥଙ୍କ ପାଟି ଶୁଣି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ଓ ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ୍‌ ରହିଥିବା ପୁଲିସ ସୂଚନା ପାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରି ମାସରେ ଏମିତି ଏକ ସକାଳେ  ୩ ଜଣ ଯୁବକ ଏହି ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିଲେ। ସେତେବେଳେ ଦୋକାନରେ ଲୋକନାଥଙ୍କ ବାପା ଭଗବାନ ସୁବୁଦ୍ଧି ଏକୁଟିଆ ଥିଲେ। ଆଜି ଧରାପଡ଼ିଥିବା ଦୁର୍ବୃତ୍ତମାନଙ୍କ ଗ୍ୟାଙ୍ଗ୍‌ ସେଦିନ ଲୁଟ୍‌ରେ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର