ଧଉଳିରେ ଝରକା ତଡ଼ା ଲୁଟେରା ଗ୍ୟାଙ୍ଗ ଆତଙ୍କ: ଦୁଇ ଦିନରେ ୨ ଲୁଟ୍‌

ଧଉଳି: ଧଉଳି ଥାନା ଅଞ୍ଚଳରେ ଝରକା ତଡ଼ା ଲୁଟେରା ଗ୍ୟାଙ୍ଗର ଉତ୍ପାତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ଗ୍ୟାଙ୍ଗ ଦୁଇ ଦିନ ମଧ୍ୟରେ ଦୁଇ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ଏ ଦୁଇଟିଯାକ ଘଟଣା ସମାନ ଢଙ୍ଗରେ ଝରକା ତାଡ଼ି ଲୁଟ୍‌ ହୋଇଛି। ଉଭୟ ଘଟଣାରେ ଘର ମାଲିକ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଏପରି ଲୁଟ୍‌ ହୋଇଛି। ଏହି ଘଟଣାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଧଉଳି ପୁଲିସ ଲୁଟ୍‌ ସୁନା ଅଳଙ୍କାର ଓ ଟଙ୍କା ଉଦ୍ଧାର କରି ନାହିଁ କିମ୍ବା ଲୁଟେରାଙ୍କୁ ମଧ୍ୟ କାବୁ କରିପାରିନି। ପ୍ରାପ୍ତ ସୂଚନାନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜୟକୃଷ୍ଣନଗର ଫେଜ୍‌ ୱାନ୍‌ରେ ଘରଭଡ଼ା ନେଇ ରହୁଥିବା ସତ୍ୟଜିତ ବେଉରିଆଙ୍କ ଘରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସତ୍ୟଜିତ ଯୋଡ଼ାରେ ବ୍ୟବସାୟ କରନ୍ତି। ସେ ତାଙ୍କ ପତ୍ନୀ ଓ ଭଉଣୀଙ୍କ ସହିତ ଏଠାରେ ରୁହନ୍ତି। ଗତ ୨୫ ତାରିଖରେ ସତ୍ୟ ପତ୍ନୀଙ୍କ ସହିତ ଗୋଆ ବୁଲିବାକୁ ଯାଇଛନ୍ତି। ତେଣୁ ଘରେ ଏକୁଟିଆ ତାଙ୍କ ସାନ ଭଉଣୀ ପୂଜାଲିନ ବେଉରିଆ ରହୁଥିଲେ। ଗତକାଲି ଦୁର୍ବୃତ୍ତ ପାଚେରି ଡେଇଁ ଅଗଣା ଭିତରେ ପଶିଥିଲେ। ଏହାପରେ ଝରକା ତାଡ଼ି ଘର ଭିତରେ ପଶି ଆଲମିରା ଭାଙ୍ଗି ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ସବୁ ଲୁଟି ନେଇଥିଲେ। ଚୋରି ସୁନା ଗହଣା ମଧ୍ୟରେ ରହିଛି କାନଫୁଲ ୪ ହଳ, ବାହୁଟି ୩ ପଟ, ଗୋଟିଏ ଶଙ୍ଖା ଓ ଆଉ ଗୋଟିଏ ମଙ୍ଗଳସୂତ୍ର। ଏ ସଂପର୍କରେ ‌ପୂଜାଲିନ ଆଜି ଧଉଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସଂଧ୍ୟାରେ ଏହାର ତଦନ୍ତ କରିଛି। ସେହିପରି ଗତ ମଙ୍ଗଳବାର ରାତିରେ ଇନ୍ଦିରା ହଉସିଂ କଲୋନିରେ ରହୁଥିବା ଏକ ଘରୋଇ ସଂସ୍ଥାର ଶାଖା ପରିଚାଳକ ପ୍ରଣବ ମହାନ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୫୪ ହଜାର ଟଙ୍କା ଓ ପିତ୍ତଳ ବାସନକୁସନ ସହିତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏ ସଂପର୍କରେ ପ୍ରଣବ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଣବ ପରିବାର ଲୋକଙ୍କ ସହିତ ବ୍ରହ୍ମପୁର ଯାଇଥିବା ବେଳେ ଏଭଳି ଲୁଟ୍‌ ହୋଇଛି। ଧଉଳି ଥାନା ଅଞ୍ଚଳରେ ମାତ୍ର ଦୁଇଦିନ ମଧ୍ୟରେ ଦୁଇଟି ବଡ଼ ଧରଣର ଲୁଟ୍‌ ଘଟିଥିଲେ ହେଁ ପୁଲିସ କେବଳ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ହାତବାନ୍ଧି ବସିଛି। ଅନ୍ୟପକ୍ଷରେ ଝରକାତଡ଼ା ଗ୍ୟାଙ୍ଗ୍‌ ଭୟରେ ରାତିରେ କଲୋନି ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି। ପୁଲିସ ପାଟ୍ରୋଲିଂ ଠିକ ହେଉ ନଥିବାରୁ ବାରମ୍ବାର ଏଭଳି ଲୁଟ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ଦିଗରେ ପୁଲିସ କମିସନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର