ଖୋର୍ଦ୍ଧା ଅଞ୍ଚଳରେ ଖେଳାଇଥିଲେ ଆତଙ୍କ: ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଗୁଳିକାଣ୍ଡ, ବୋମା ମାଡ଼, ବ୍ୟାଙ୍କ ଓ ଏଟିଏମ୍‌ ଗାଡ଼ି ଲୁଟ୍‌ରେ ଥିଲେ ସଂପୃକ୍ତ, ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ସଙ୍ଗିନ ମାମଲା

ଖୋର୍ଦ୍ଧା/ବେଗୁନିଆ: ଖୋର୍ଦ୍ଧା ପୁଲିସର ଏନ୍‌କାଉଣ୍ଟରରେ ଆଜି ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ବହୁ ସଙ୍ଗିନ ମାମଲା ରହିଛି। ବେଗୁନିଆ ଓ ଖୋର୍ଦ୍ଧା ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଉମେଶ ସାହୁ ଓ ପିଣ୍ଟୁ ମାଝି କାଇପଦର ଡାଳତୋଳା ଜଙ୍ଗଲରେ ମାରଣାସ୍ତ୍ର ସହ ବୁଲୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ବେଗୁନିଆ ଓ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ଆଜି ଅପରାହ୍‌ଣରେ ଡାଳତୋଳା ଜଙ୍ଗଲରେ ଚଢ଼ଉ କରିଥିଲେ। ପୁଲିସ୍‌କୁ ଦେଖି ଉମେଶ ଓ ପିଣ୍ଟୁ ଏକ କଳା ପଲସର ମୋଟର ସାଇକଲରେ ବେଗୁନିଆ ଥାନା କାଳୁଚୁଆ ଆଡ଼େ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଓ ଇନ୍‌ସପେକ୍ଟର ଶ୍ରୀକାନ୍ତ ପଣ୍ତା ଉଭୟଙ୍କୁ ଗୋଡ଼ାଇ କାବୁ କରିବାକୁ ଉଦ୍ୟମ କରିବା ବେଳେ ଅପରାଧୀଦ୍ବୟ ପୁଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ୍‌ ପାଲଟା ଗୁଳି ଚଳାଇବାରୁ ଉମେଶ ଓ ପିଣ୍ଟୁ ଆହତ ହୋଇଥିଲେ। ଦୁହିଁଙ୍କ ଗୋଡ଼ରେ ଗୁଳି ବାଜିଥିଲେ ମଧ୍ୟ ସେମାନଙ୍କୁ କାବୁ କରିବାକୁ ଯାଇ ଧସ୍ତାଧସ୍ତିରେ ବେଗୁନିଆ ଥାନା ଅଧିକାରୀ ଶ୍ରୀ ସାହୁ ଓ ଜଣେ ଏସ୍‌ଆଇ ଆହତ ହୋଇଥିଲେ। ଆହତ ଅପରାଧୀଦ୍ବୟଙ୍କୁ ପୁଲିସ୍‌ ଅପରାହ୍‌ଣ ପ୍ରାୟ ୩ଟା ବେଳେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏ ନେଇ ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ଦୁଇଜଣଙ୍କ ନାମରେ ଖୋର୍ଦ୍ଧା, ବେଗୁନିଆ ଓ ଜଙ୍କିଆରେ ଏକାଧିକ ଆପରାଧିକ ମାମଲା ରହିଛି। ବିଭିନ୍ନ ସ୍ଥାନରେ ବୋମାମାଡ଼, ଗୁଳିକାଣ୍ତ, ବ୍ୟାଙ୍କ ଲୁଟ୍, ଜେସିବି ପୋଡ଼ି, ଏଟିଏମ୍ ଗାଡ଼ି ଲୁଟ ଭଳି ୧୦ରୁ ଅଧିକ ସଙ୍ଗିନ ମାମଲା ସେମାନଙ୍କ ନାମରେ ରହିଛି।

ସୂଚନାଯୋଗ୍ୟ, ଏହି ଦୁଇ ଅଭିଯୁକ୍ତ ଚଳିତ ବର୍ଷ ଏପ୍ରିଲ୍ ୭ରୁ ୧୦ ତାରିଖ ପ୍ରାୟ ୪ଦିନ ଧରି ବେଗୁନିଆର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲେ। ଆହତ ଉମେଶ ଓ ପିଣ୍ଟୁଙ୍କ ନାମରେ ଅପରାଧର ଲମ୍ବା ତାଲିକା ଥିବା ବେଳେ ଅଭିଯୁକ୍ତମାନେ ବେଗୁନିଆ ବ୍ଲକର ଦେଉଳି ପଞ୍ଚାୟତ ଅନ୍ତର୍ଗତ କାଳୁଚୁଆ ପାହାଡ଼ ନିକଟରେ ଗତ ଏପ୍ରିଲ ମାସ ୭ ତାରିଖ ଅପରାହ୍ନରେ ଦଲକ ଗ୍ରାମର ପ୍ରତାପ ବଡଜେନାଙ୍କୁ ଗୁଳି ମାରି ଆହତ କରିବା ସହ ତାଙ୍କର ବୁଲେଟ୍‌କୁ ପୋଡ଼ି ଦେଇଥିଲେ। ପରେ ସେମାନେ କାଳୁଚୁଆ ପାହାଡ଼ ନିକଟରେ ଥିବା ଦୁଇଟି ଜେସିବି ଓ ଗୋଟିଏ ହିଟାଚି ମେସିନ୍ ମଧ୍ୟ ପୋଡ଼ି ଦେଇଥିଲେ। ସେହିପରି ୧୦ ତାରିଖରେ ଗୋବିନ୍ଦପୁର ପଞ୍ଚାୟତର ପରିଛଳ ଛକରେ ଏକ ସେଲୁନ୍‌ ଭିତରେ ଥିବା କୁନୁ ରାଉତରାୟଙ୍କୁ ବାହାରକୁ ଡାକି ଗୁଳିମାଡ଼ କରିଥିଲେ। ଗତ ୧୨ ତାରିଖ ଅପରାହ୍ନରେ ଗୋବିନ୍ଦପୁର-ଗେଡ଼ିଆପଲ୍ଲୀ ମଧ୍ୟସ୍ଥିତ ଡାଳଢିପଠାରେ ଏକ ଫାଇନାନ୍‌ସ କମ୍ପାନିର ଗାଡ଼ି ଉପରକୁ ବୋମାମାଡ଼ କରିବା ସହ ଦୁଇ ଜଣଙ୍କୁ ଆହତ କରି ୯୪ହଜାର ଟଙ୍କା ଲୁଟି ନେଇଥିଲେ। ପୁଲିସ ପ୍ରତି ଚାଲେଞ୍ଜ ସୃଷ୍ଟି କରିଥିବା ଉମେଶ ସାହୁ ଓ ପିଣ୍ଟୁ ମାଝିଙ୍କୁ ଧରିବା ପାଇଁ ଖୋର୍ଦ୍ଧା ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ପ୍ରାୟ ୪୦ ଦିନ ପରେ ପୁଲିସ ଆଜି ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଅପରପକ୍ଷରେ ୨୦୧୮ ମସିହା ଏପ୍ରିଲ ୧୪ ତାରିଖରେ ଜଟଣୀ ଛଣଗିରିଠାରେ ପୁଲିସ ଏନ୍‌କାଉଣ୍ଟରରେ ଜଣାଶୁଣା ଡକାୟତ ସୂର୍ଯ୍ୟମଣି ଛୋଟରାୟ ଓରଫ ସିଲୁ ଆହତ ହୋଇଥିବା ବେଳେ ସେହି ବର୍ଷ ଅଗଷ୍ଟ ୧୭ ତାରିଖରେ ନିରାକାରପୁର ରାମେଶ୍ବର ଛକ ଠାରେ ପୁଲିସ ଏନ୍‌କାଉଣ୍ଟରରେ ଅନ୍ୟ ଜଣେ ଅପରାଧୀ ଫିରୋଜ ଖାନ୍ ଓରଫ ବାବୁଲୁ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର