ଭୁବନେଶ୍ବର: ଜଣେ ଅଟୋ ଚାକଳଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ସାଲିଆସାହି ସନ୍ତୋଷୀନଗର ଅଞ୍ଚଳର ସାଲୁ ବିଶୋଇ ଓ ଅନ୍ୟ ଜଣଙ୍କ ନାବାଳକ ବୋଲି ଜଣାପଡ଼ିଛି। ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସନ୍ତୋଷୀନଗର ଅଞ୍ଚଳର ଲୋକନାଥ ପାତ୍ର ଓ ସାଲୁ ମଧ୍ୟରେ ବିବାଦ ଲାଗି ରହିଥିଲା। ଗୁରୁବାର ବିଳମ୍ବିତ ରାତିରେ ଲୋକନାଥ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ନିଶାସକ୍ତ ଅବସ୍ଥାରେ ଥିବା ସାଲୁ ଓ ସହଯୋଗୀ ନାବାଳକ ତାଙ୍କୁ ଅଟକାଇଥିଲେ। ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ଲୋକନାଥ ପ୍ରତିବାଦ କରିବାରୁ ସାଲୁ ନିକଟରେ ଲୁଚାଇଥିବା ଏକ ଖଣ୍ଡାରେ ତାଙ୍କ ପିଠି, ହାତ, ପାପୁଲିକୁ ‌ହାଣି ପକାଇଥିଲା। ଲୋକନାଥ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ଉଭୟ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଆଖପାଖ ଅଞ୍ଚଳର ଲୋକମାନେ ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି  କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ନାବାଳକ ଓ ସାଲୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।