କୋଲକାତା: ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ଗିରଫ ହୋଇଛନ୍ତି କୋଲକାତାର ଦୁଇ ବ୍ୟବସାୟୀ। ଜଣଙ୍କ ନାଁ ଆଦିତ୍ୟ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତର ନାଁ ଅନୀଷ ଲୋହାରୁକା ବୋଲି ଜଣାଯାଇଛି। ଦୁହିଁଙ୍କୁ କୋଲାକାତା ପୁଲିସର ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ ଗିରଫ କରିଛି। ଦୁହେଁ ବିଭିନ୍ନ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖି ସେମାନଙ୍କ ଭିଡିଓ ଉତ୍ତୋଳନ କରୁଥିବା ସହ ପରେ ଭାଇରାଲ କରିବାର ଧମକ ଦେଇ ସେମାନଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ। କିନ୍ତୁ ଏବେ ଜଣେ ମହିଳା ଅଭିଯୋଗ କରିବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଯୁଗ୍ମ ପୁଲିସ କମିସନର ମୁରଲୀ ଧର୍ ଶର୍ମାଙ୍କ ସୂଚନା ଅନୁଯାୟୀ, ଦୁହିଁଙ୍କଠାରୁ ଜବତ କରାଯାଇଥିବା ଲାପଟପରେ ୧୮୨ରୁ ଅଧିକ ଅଶ୍ଲୀଳ ଭିଡିଓ ରହିଛି। ୨୦୧୩ରୁ ଏହି ଅପରାଧ ଦୁହେଁ କରି ଆସୁଥିବା ବେଳେ ନଭେମ୍ବର ୨୦୧୯ରେ ଏ ନେଇ ଜଣେ ମହିଳା ପ୍ରଥମେ ଅଭିଯୋଗ କରିଥିଲେ। ଏହାପରଠାରୁ ତଦନ୍ତ ଆରମ୍ଭ କରାଯାଇଥିଲା। ମହିଳାଙ୍କୁ ପ୍ରଥମେ ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତମାନେ ୫ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ପରେ ଦୁହେଁ ପୀଡ଼ିତାଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଚାପ ପକାଇଥିଲେ। ବାରମ୍ବାର ଏଭଳି ହେଉଥିବା ଦେଖି ଶେଷରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ।
ପୀଡ଼ିତା ପ୍ରଥମେ ଅନୀଷ ଲୋହାରୁକାଙ୍କ ରୋଷେଇଆ କୈଳାଶ ଯାଦବଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। କାରଣ ଯାଦବ ନିଜ ଫୋନରୁ କଲ୍ କରି ପୀଡ଼ିତାଙ୍କୁ ଟଙ୍କା ମାଗିଥିଲେ। ଗିରଫ ହେବା ପରେ ଏଭଳି କରିବା ପାଇଁ ତାଙ୍କୁ ଆଦିତ୍ୟ ଅଗ୍ରୱାଲ ଓ ଅନୀଷ ଲୋହାରୁକା କହିଥିଲେ ବୋଲି ପୁଲିସକୁ ଜଣାଇଥିଲା ଯାଦବ। ଯାହା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା। ପୂର୍ବରୁ ଦୁହେଁ କେବଳ ଭିଡିଓ ରେକର୍ଡ କରୁଥିବା ବେଳେ ୨୦୧୮ପରଠାରୁ ଏହାକୁ ବ୍ୟବହାର କରି ଟଙ୍କା ଆୟ କରିବା ଆରମ୍ଭ କରିଥିଲେ। ବିଭିନ୍ନ ମହିଳାଙ୍କ ସହ ବନ୍ଧୁତା ବଢ଼ାଇ ସେମାନଙ୍କୁ ପୂର୍ବରୁ କ୍ୟାମେରା ଲଗାଯାଇଥିବା ରୁମକୁ ନେଇ ଶାରୀରିକ ସଂପର୍କ ରଖୁଥିଲେ। ପରେ ସେହି ଭିଡିଓ ଭାଇରାଲ କରିବାର ଧମକ ଦେଇ ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ।