ଭୁବନେଶ୍ବର: ଥାନାରେ ବାଇକ୍‌ ଛାଡ଼ି ଚମ୍ପଟ ମାରିଥିବା ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ଲିଙ୍ଗରାଜ ଭୂୟାଁ ଓରଫ ରାଜେଶ(୨୪) ଓ କିଷାନ ପ୍ରଧାନ(୨୩)। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟଚାଲାଣ କରିଛି।

Advertisment

ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରିୟଦର୍ଶନୀ ମହାପାତ୍ର ନାମକ ଜଣେ ମହିଳା ରାଜମହଲରୁ ଅଟୋରେ ମାର୍କେଟ୍‌ ବିଲ୍ଡିଂ ଆସୁଥିଲେ। ଏହି ସମୟରେ ରାଜେଶ ଓ କିଷାନ ଏକ ବାଇକ୍‌ରେ ଅଟୋକୁ ପିଛା କରି ମହିଳାଙ୍କ ବ୍ୟାଗ୍‌ ଝାମ୍ପି ନେଇଥିଲେ। ମହିଳାଜଣକ ପାଟି କରି ଲୋକମାନଙ୍କୁ ଡାକିଥିଲେ। ଏହା ଦେଖି ଆଖପାଖରେ ଥିବା ଲୋକମାନେ ଲୁଟେରାଙ୍କୁ ଗୋଡ଼ାଇଥିଲେ। ବାଟ ନପାଇ ଲୁଟେରାଦ୍ବୟ କ୍ୟାପିଟାଲ୍‌ ଥାନା ଭିତରେ ପଶି ଯାଇଥିଲେ। ଏହାପରେ ସେମାନେ ବାଇକ୍‌କୁ ସେଠାରେ ଛାଡ଼ି ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଥାନାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଗତକାଲି ବିଳମ୍ବିତ ରାତିରେ ରାଜେଶ ଥାନାକୁ ଆସି ବାଇକ୍‌ ନେବା ବେଳେ ପୁଲିସ ତାକୁ କାବୁ କରିଥିଲା। ତା’ଠାରୁ କିଷାନର ଠିକଣା ଜାଣିବା ପରେ ତାକୁ ଗିରଫ କରିବା ସହ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଜବତ କରିଥିଲା।