ନିର୍ଧୁମ ଛେଚା ଖାଇଲେ ୨ ଲୁଟେରା

ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପିନେଲା ବେଳେ ଧରାପଡ଼ିଗଲେ

ଖଣ୍ଡଗିରି: ଜଣେ ମହିଳାଙ୍କଠାରୁ ଟଙ୍କା ଭର୍ତି ଭ୍ୟାନିଟି ଝାମ୍ପି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ି ୨ ଲୁଟେରା ନିର୍ଧୁମ ଛେଚା ଖାଇଛନ୍ତି। ସେମାନେ ହେଲେ, ବାଲିଅନ୍ତାରେ ରହୁଥିବା ନୟାଗଡ଼ ଜିଲ୍ଲା ଦଶପଲାର ଶିବ ଚିନ୍ନେରା ଏବଂ ଭୁବନେଶ୍ୱର ଷ୍ଟେସନ୍‌ ବସ୍ତିରେ ରହୁଥିବା ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ରଣଜିତ୍‌ ନାୟକ। ଲୋକେ ବହେ ଛେଚିବା ପରେ ଖଣ୍ଡଗିରି ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ମହିଳାଙ୍କଠାରୁ ଲୁଟ୍‌ ହୋଇଥିବା ୨୬ ହଜାର ଟଙ୍କା ଓ ୨ ଟି ମୋବାଇଲ୍‌ ପୁଲିସ୍‌ ଜବତ କରିଛି। ପୁଲିସ୍‌ ସୂଚନାନୁସାରେ ମଞ୍ଚେଶ୍ୱର ଥାନା ଗାଡ଼କଣରେ ରହୁଥିବା କେନ୍ଦୁଝର ଜିଲ୍ଲା ହିରଚନ୍ଦନପୁରର ସାବିତ୍ରୀ ଲାଗୁରି ଆଜି ସକାଳୁ ସକାଳୁ ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯାଉଥିଲେ। ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ଯାଇ ବରମୁଣ୍ଡାସ୍ଥିତ ଏକ ଏଟିଏମ୍‌ରୁ ୨୬ ହଜାର ଟଙ୍କା ଉଠାଇଥିଲେ। ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କ ପାଇଁ ସେ ଏଇ ଟଙ୍କା ଉଠାଇଥିଲେ। ସେ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ବାଇକ୍‌ ବୁଲାଉଥିବା ବେଳେ ସେମାନଙ୍କୁ ପିଛା କରୁଥିବା ଏହି ଲୁଟେରା ଦ୍ୱୟ ତାଙ୍କ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲେ। ତେଣୁ ସାବିତ୍ରୀଙ୍କ ସମ୍ପର୍କୀୟ ତାଙ୍କ ବାଇକ୍‌ର ବେଗ କମାଇ ଦେଇଥିଲେ। ଏତିକିବେଳେ ଲୁଟେରାଦ୍ୱୟଙ୍କ ମଧ୍ୟରୁ ଜଣେ ସାବିତ୍ରୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍‌ଟି ଝାମ୍ପି ନେଇଥିଲା। ସେଇ ସମୟରେ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ବେଶ୍‌ ଜନଗହଳି ଥିଲା। ଥାନା ସମ୍ମୁଖରେ ଲୁଟେରାଦ୍ୱୟ ଏଭଳି ଦୁଃସାହସ କରି ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ସାବିତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ହୋ ହାଲ୍ଲା କରି ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ଲୁଟେରାଦ୍ୱୟ ଟ୍ରାଫିକ୍‌ ଛକରୁ ତରବର ହୋଇ ବାଣୀବିହାର ଦିଗକୁ ପଳାଉଥିବା ବେଳେ ବାଇକ୍‌ଟି ଡିଭାଇଡରରେ ପିଟି ହୋଇଯାଇଥିଲା। ଭ୍ୟାନିଟି ଧରିଥିବା ଦୁର୍ବୃତ୍ତ ଶିବ ଚିନ୍ନେରା ବରମୁଣ୍ଡା ଆଡ଼କୁ ଦୌଡ଼ୁଥିବା ବେଳେ ବାଇକ୍‌ ଉଠାଇ ରଣଜିତ ପଳାଇଯିବାକୁ ବସିଥିଲା। କିନ୍ତୁ ଲୋକମାନେ ଗୋଡ଼େଇ ଧରି ପକାଇଥିଲେ। ପାଟି ତୁଣ୍ଡ ଶୁଣି ଥାନା ଭିତରୁ ପୁଲିସ୍‌ ଧାଇଁ ଆସିଥିଲେ।

ସମ୍ବନ୍ଧିତ ଖବର