ଖଣ୍ଡଗିରି: ଗତ ୫ ତାରିଖ ଭୋର୍ ସମୟରେ ସ୍ଥାନୀୟ ତପୋବନ ହାଇସ୍କୁଲ ନିକଟରୁ ଜଣେ ଚାଳକଙ୍କୁ ହାଣି ଉବେର୍ କାର୍ ଲୁଟ୍ କରିଥିବା ଦୁଇ ଦୁର୍ଦାନ୍ତ ଲୁଟେରାଙ୍କୁ କମିସନରେଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଲୁଟ୍ କାର୍ ସହ ୧୦ରୁ ଅଧିକ ବାଇକ୍ ଜବତ କରାଯାଇଥିବା ଜଣାପଡ଼ିଛି। ମାତ୍ର ୨/୩ ସପ୍ତାହ ମଧ୍ୟରେ ରାଜଧାନୀରେ ଏହି ଦୁଇ ଜଣ ପ୍ରାୟ ୫ଟି ଲୁଟ୍ ମାମଲା କରି ଚାଞ୍ଚଲ୍ୟ ଖେଳାଇ ଦେଇଥିିବା ଜଣାପଡ଼ିଛି। ତଦନ୍ତ ଶେଷ ହୋଇ ନଥିବାବେଳେ ଏହି ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ଧରାପଡ଼ି ନଥିବାରୁ ପୁଲିସ ସେମାନଙ୍କ ପରିଚୟ ଗୋପନ ରଖିଛି। କିନ୍ତୁ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବାର ସମ୍ଭାବନା ଥିବା ଖବର ମିଳିଛିି।
ସୂଚନାନୁସାରେ ଦଶପଲ୍ଲା ଅଞ୍ଚଳର ଏହି ଦୁଇ ଜଣ ହାର୍ଡକୋର୍ କ୍ରମିନାଲ୍। ସେମାନଙ୍କ ନାମରେ ନୟାଗଡ଼ରୁ ଆରମ୍ଭ କରି ପୁରୀ ଖୋର୍ଧା ଓ ଭୁବନେଶ୍ୱରରେ ବହୁ ଲୁଟ୍ ମାମଲା ରହିଛି। ଗତ କିଛି ଦିନ ହେଲା ଏମାନେ ରାଜଧାନୀରେ ଡେରା ପକାଇଥିଲେ। ସେମାନେ ଖଣ୍ଡଗିରି ଅଞ୍ଚଳକୁ ଟାର୍ଗେଟ୍ କରିଥିଲେ। ତେଣୁ ଖଣ୍ଡଗିରି ଅଞ୍ଚଳରୁ ହୋଇଥିବା ଲୁଟ୍ରେ ସେମାନଙ୍କ ହାତ ଥିବା ପୁଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି। ଗତ ମାସରେ ଏହି ଅଞ୍ଚଳରୁ ୨ଟି ବାଇକ୍ ଲୁଟ୍ ହୋଇଥିଲା। ଗତ ମାସ ୨୧ ତାରିଖରେ ଜୟଦେବ ବିହାର ଅଞ୍ଚଳର ସୌମ୍ୟ ସୁନ୍ଦର ଦାସଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍ ଲୁଟ୍ ହୋଇଥିଲା। ସେହିଭଳି ଗତ ୫ ତାରିଖ ଭୋରତ ସମୟରେ ଭଡ଼ା ବାହାନାରେ ଉବେର୍ କାର୍ ମଗାଇ ସେମାନେ ବନେଶ ମହାକୁଡ଼ଙ୍କୁ ହାଣି ପକାଇ ତାଙ୍କ କାର୍ ଲୁଟି ନେଇଥିଲେ। ପୁଣି ୭ ତାରିଖ ସକାଳୁ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରୁ ଭଂଜନଗର ଯାଉଥିବା ଶୁଭାସିଷ ନାୟକଙ୍କୁ ଖଣ୍ଡା ଚୋଟ ପକାଇ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ସ୍କୁଟିକୁ ଲୁଟି ନେଇଥିଲେ। ଏ ସବୁ ଲୁଟ୍ ମାମଲା ପୁରା ଏକା ଶୈଳୀରେ ଘଟିଥିଲା ଓ ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ କରୁଥିଲେ। କାର୍ ଲୁଟ୍ କରିବା ପରେ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ି ଯାଇଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍ ମିଳିତଭାବେ ଅଭିଯାନ ଆରମ୍ଭ କରିଥିଲେ। ଶେଷରେ ଦୁଇ ଜଣଙ୍କୁ ପୁଲିସ ଟିମ୍ ଧରିବାରେ ସଫଳ ହୋଇଥିଲା ଓ ସେମାନଙ୍କଠାରୁ ପ୍ରଥମେ ଉବେର କାର୍ ଓ ଗଙ୍ଗପଡ଼ାରୁ ଲୁଟ୍ ହୋଇଥିବା ସ୍କୁଟି ଜବତ କରାଯାଇଥିଲା। ପରେ ସେମାନେ କନ୍ଧମାଳରେ ବିକିଥିବା ବାଇକ୍ଗୁଡ଼ିକ ପୁଲିସ ଜବତ କରିଥିବା ଜଣାପଡ଼ିଛି। ଏମାନେ ବାଇକ୍ ଓ କାର୍ ଲୁଟ୍ କରି କନ୍ଧମାଳରେ ନିୟମିତ ବିକୁଥିବା ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମେ ମାସରେ ଖଣ୍ଡଗିରି ଥାନା ପୁଲିସ କୁଖ୍ୟାତ୍ ବାଇକ୍ ଚୋର ଦୀପକ ସାହୁ ଓ ସଂଜୟ ରେଡ୍ଡୀକୁ ଗିରଫ କରିଥିଲା ଓ କନ୍ଧମାଳରେ ସେମାନେ ବିକିଥିବା ୨୦ଟି ଦାମୀ ବାଇକ୍ ଜବତ କରିଥିଲା। ଗତ ବର୍ଷ ଖଣ୍ଡଗିରି ଥାନା ପୁଲିସ କୁଖ୍ୟାତ୍ ପିଣ୍ଟୁ ଦିଗାଲକୁ ଗିରଫ କରିଥିିଲା। ସେ ଏମିତି ଭଡ଼ା ବାହାନାରେ ଉବେର୍ କାର୍ ନେଇ ବାଟରୁ ଡ୍ରାଇଭର୍କୁ ମାଡ଼ ମାରି କାର୍ ନେଇଯାଇଥିଲେ।